ଅଭିଷେକ ରାୟ

ଆଜି ସାରା ପୃଥିବୀରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଏକ ବଡ଼ ଜନସ୍ଵାସ୍ଥ୍ୟ ଆହ୍ୱାନ ଭାବେ ଚିନ୍ତା ବଢ଼ାଇଛି। ଏହା ଅନେକ ଲୋକଙ୍କ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେବେ ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା ସମ୍ପର୍କରେ ବ୍ୟାପକ ସଚେତନତା ପାଇଁ ବୁଧବାର ଦିନ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ମିଡିଆ କର୍ମଶାଳା ଆୟୋଜନ କରାଯାଇଥିଲା।

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏହି କାର୍ମଶାଳା କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ ଷ୍ଟ୍ରୋକର କାରଣ, ଲକ୍ଷଣ, ଚିକିତ୍ସା ତଥା ଏହାର ନିୟନ୍ତ୍ରଣ ଭଳି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ଓ ଡେଭଲପମେଣ୍ଟ କ୍ଷେତ୍ରର ପ୍ରତିନିଧି ଏବଂ ଗଣଯୋଗାଯୋଗ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

କର୍ମଶାଳା ଆରମ୍ଭରେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ନୀଳାମ୍ବର ରଥ ସମସ୍ତ ଅତିଥି, ଉପସ୍ଥିତ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ। କାର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ଓ ବିଶେଷତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ।

“ଶତାଧିକ ବର୍ଷ ହେବ ମଣିଷ ସମାଜ ବିଭିନ୍ନ ସଂକ୍ରାମକ ରୋଗର ସାମ୍ନା କରି ଆସିଛି। ପୂର୍ବରୁ ହଇଜା ଓ ବସନ୍ତ ଭଳି ସଂକ୍ରାମକ ରୋଗ ସହ ଆରମ୍ଭ ହୋଇଥିବା ଲଢ଼େଇ ଏବେ କୋଭିଡ୍ ଓ ଡେଙ୍ଗୁ ସହ ଜାରି ରହିଛି। ହେଲେ ଚଳିତ ଶତାବ୍ଦୀରେ ଆହୁରି ବଡ଼ ଆହ୍ଵାନ ସୃଷ୍ଟି କରିଛି ଅଣସଂକ୍ରାମକ ରୋଗ। ଏଗୁଡ଼ିକର ପ୍ରତିଷେଧକ ଓ ନିୟନ୍ତ୍ରଣ ପ୍ରତି ଲୋକମାନଙ୍କୁ ବିଶେଷ ସଚେତନ ହେବାର ସମୟ ଆସିଛି’’, କହିଛନ୍ତି ନୀଳାମ୍ବର ରଥ।

ସେ ଆହୁରି ମଧ୍ୟ କହିଥିଲେ, “ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସବୁଠୁ ଅଧିକ ଲୋକଙ୍କ ଜୀବନକୁ  ପ୍ରବାଭିତ କରୁଛି। ଏହି ଷ୍ଟ୍ରୋକ୍ ଉପରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଇଏଫଆଇ ଫାଉଣ୍ଡେସନ ଆଗକୁ ଆସିଛି। ଗଣମାଧ୍ୟମ ଓ ଡେଭଲପମେଣ୍ଟ କମ୍ୟୁନିକେସନ ମାଧ୍ୟମରେ ଲୋକମାନଙ୍କ ନିକଟରେ ଷ୍ଟ୍ରୋକ୍ ନିୟନ୍ତ୍ରଣର ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ମିଡିଆ କାର୍ମଶାଳାର ଆୟୋଜନ କରାଯାଇଛି।”

କର୍ମଶାଳାରେ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ଏବଂ  ‘ଷ୍ଟ୍ରୋକ – ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ଦୁଇଟି ସେସନ ରହିଥିଲା। ଏଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକ ଉପରେ ବିଶେଷ ଧାରଣା ଦେବା ସହ ନିଜର ଅଭିଜ୍ଞତାରୁ ଏହାର କିପରି ମୁକବିଲା କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାର ପ୍ରଥମ ସେସନରେ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା ଷ୍ଟ୍ରୋକ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଷ୍ଟ୍ରୋକ୍ କାହିଁକି ହୁଏ, ଏହାକୁ କିପରି ଜାଣିବେ ତଥା ଷ୍ଟ୍ରୋକ୍ ପୀଡ଼ିତଙ୍କ ଚିକିତ୍ସା ଓ ପରବର୍ତ୍ତୀ ସମୟରେ କିଭଳି ଯତ୍ନ ନିଆଯିବା ଦରକାର ଆଦି ବିଭିନ୍ନ ବିଷୟରେ ସେ ଆଲୋଚନା କରିଥିଲେ। ସେ ଷ୍ଟ୍ରୋକ୍ ବିଷୟରେ ନିଜ ଡାକ୍ତରୀ ଜୀବନର ଅଭିଜ୍ଞତାକୁ ସମସ୍ତଙ୍କ ଆଗରେ କହିଥିଲେ।

ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କହିଥିଲେ, “ଭାରତ ଭଳି ବିକାଶଶୀଳ ଦେଶରେ ଏବେ ଷ୍ଟ୍ରୋକ୍ ଭଳି ଅଣସଂକ୍ରାମକ ରୋଗ ବହୁଳ ଭାବେ ବଢ଼ିବାରେ ଲାଗିଛି। ଓଡ଼ିଶା ଦେଶର ଦ୍ଵିତୀୟ ସର୍ବାଧିକ ଷ୍ଟ୍ରୋକ୍ ରୋଗୀ ଥିବା ରାଜ୍ୟ ପାଲଟିଛି। ହେଲେ ଉପଯୁକ୍ତ ଚିକିତ୍ସା ଅଭାବରୁ ଅନେକ ଷ୍ଟ୍ରୋକ୍ ପୀଡ଼ିତଙ୍କ ଜୀବନ ଚାଲିଯିବା ସହ ଅକ୍ଷମତାର ଶିକାର ହେଉଛନ୍ତି। ତେବେ ୯୦ ପ୍ରତିଶତ ମାମଲାରେ ଷ୍ଟ୍ରୋକକୁ ରୋକାଯାଇପାରିବ। ଷ୍ଟ୍ରୋକ୍ ହେବାର ଚାରିରୁ ସାଢ଼େ ଚାରି ଘଣ୍ଟାର ଗୋଲ୍ଡେନ ଆୱାର ମଧ୍ୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଉପଯୁକ୍ତ ଚିକିତ୍ସା କରାଗଲେ ତାଙ୍କର ଜୀବନ ବଞ୍ଚିପାରିବ।”

ସେ ଆହୁରି ମଧ୍ୟ କହିଥିଲେ, “ଜଣଙ୍କୁ ଷ୍ଟ୍ରୋକ୍ ହୋଇଛି କି ନାହିଁ ଜାଣିବା ପାଇଁ ଆମକୁ ବହୁତ ସଚେତନ ହେବାକୁ ପଡ଼ିବ। ଏହାଦ୍ଵାରା ଜଣେ ନିଜର ସମ୍ପର୍କୀୟଙ୍କର ଜୀବନ ରକ୍ଷା କରିପାରିବେ। ଏବେ ଷ୍ଟ୍ରୋକକୁ ନେଇ ଧୀରେ ଧୀରେ ଲୋକେ ସଚେତନ ହେବାକୁ ଆରମ୍ଭ କଲେଣି। ହେଲେ ଏହାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି।”

ଏଠାରେ ଷ୍ଟ୍ରୋକ୍ ଉପରେ ୱାର୍ଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନ ଦେଇଥିବା ବିଭିନ୍ନ ତଥ୍ୟକୁ ଉପସ୍ଥାପିତ କରାଯାଇଥିଲା। ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟ୍ରୋକ୍ ହେବାର ସମ୍ଭାବନା ଥିବା ସଂଗଠନ କରିଥିବା ସତର୍କତାକୁ ଏଠାରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।

ସେହିପରି କର୍ମଶାଳାର ଦ୍ଵିତୀୟ ସେସନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଥିଲେ। ସେ ଷ୍ଟ୍ରୋକର ନିୟନ୍ତ୍ରଣ ପାଇଁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ସମ୍ପର୍କରେ କହିଥିଲେ। ଏହାସହ ଷ୍ଟ୍ରୋକ୍ ଓ ଅନ୍ୟାନ୍ୟ ଅଣସଂକ୍ରାମକ ରୋଗ କିଭଳି ଦେଶର ଆର୍ଥିକ ଓ ସାମାଜିକ ସ୍ଥିତିକୁ ପ୍ରଭାବିତ କରୁଛି ସେ ବିଷୟରେ କହିଥିଲେ।

“ଷ୍ଟ୍ରୋକ ଭଳି ଅଣସଂକ୍ରାମକ ରୋଗ ଏବେ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ସୃଷ୍ଟି କରିଛି। ଏଥିରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ। ଲୋକମାନେ ସୁସ୍ଥ ରହିଲେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ପାଇଁ ହେଉଥିବା ସରକାରୀ ଖର୍ଚ୍ଚ କମିବ, ଯାହା ସମାଜର ଅନ୍ୟ ଉନ୍ନତିମୂଳକ କାମରେ ଲଗାଯାଇପାରିବ। ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ ମୁକାବିଲା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର”, କହିଛନ୍ତି ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ।

କର୍ମଶାଳାରେ ପ୍ରତି ସେସନ ପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ବିଶେଷଜ୍ଞମାନଙ୍କୁ ଷ୍ଟ୍ରୋକ୍ ବାବଦରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏଠାରେ ବିଶେଷଜ୍ଞମାନେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାସହ ଷ୍ଟ୍ରୋକକୁ ନେଇ ସେମାନଙ୍କ ମନରେ ଥିବା ବିଭିନ୍ନ ସନ୍ଦେହ ଦୂର କରିଥିଲେ।

“ଏହି ସଚେତନତା କାର୍ମଶାଳାରୁ ଆମେ ଷ୍ଟ୍ରୋକ୍ ବିଷୟରେ ଅନେକ ନୂଆ କଥା ଜାଣିବାକୁ ପାଇଲୁ। ଏଠାରେ ଷ୍ଟ୍ରୋକକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯେଉଁସବୁ ତଥ୍ୟ ରଖିଲେ ସମସ୍ତଙ୍କର ସେଗୁଡ଼ିକୁ ଜାଣିବା ଦରକାର। ଆମେ ଗଣମାଧ୍ୟମ ଜରିଆରେ ସେସବୁକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଷ୍ଟ୍ରୋକ୍ ସମ୍ପର୍କରେ ସଚେତନ କରିବାକୁ ପ୍ରୟାସ କରିବୁ”, କହିଛନ୍ତି ବରିଷ୍ଠ ସାମ୍ବାଦିକ ଧୃତିକାମ ମହାନ୍ତି।

“ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ଏତେ ମାତ୍ରାରେ ଲୋକଙ୍କୁ ପ୍ରଭାବିତ କରୁଛି ତାହା ମୁଁ ଏହି କର୍ମଶାଳାରେ ଜାଣିବାକୁ ପାଇଲି। ମୁଁ ଏ ବିଷୟରେ କମ୍ୟୁନିଟି ରେଡିଓ ମାଧ୍ୟମରେ ଯୁବପିଢ଼ି ଓ ଅନ୍ୟ ଲୋକମାନଙ୍କୁ ସଚେତନ କରାଇବି”, କହିଛନ୍ତି ସୋଆ କମ୍ୟୁନିଟି ରେଡିଓର ଆରଜେ ଶୁଭଶ୍ରୀ ରଥ।

ୱାର୍ଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନର ତଥ୍ୟ ଅନୁସାରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ଲୋକଙ୍କ ପାଖରେ ଷ୍ଟ୍ରୋକର କିଛି ଲକ୍ଷଣ ନଥିବା ଦେଖିବାକୁ ମିଳିଛି। ଏହା ଆଜି ସାରା ବିଶ୍ଵ ପାଇଁ ବିରାଟ ଚିନ୍ତାର କାରଣ ପାଲଟିଛି।

ଷ୍ଟ୍ରୋକ ବିଷୟରେ ବ୍ୟାପକ ଜନସଚେତନତା ପାଇଁ ଅକ୍ଟୋବର ୨୯ ତାରିଖକୁ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଅକ୍ଟୋବର ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ୍ ମୁକ୍ତ ଜୀବନ’। ଏହି ଅବସରରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କିତ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯିବ।

ଏହି ବିଶେଷ କାର୍ଯ୍ୟକ୍ରମରେ ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲ ଭୁବନେଶ୍ଵର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।

Tags: #WorldStrokeDay #StrokeAwareness #MediaWorkshop #StrokeFreeWorld #CanbePrevented #IFIFoundation #Swasthyaplus

Comment