ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକଚଣ୍ଡୀ ପୂଜା ପାଇଆସୁଛନ୍ତି।

୪୦ଟି ଶଗଡ଼ ସିନ୍ଦୁରରୁ ମା’ଙ୍କ ଆବିର୍ଭାବ

କଟକରେ କନିକା ରାଜାଙ୍କ ପରିବାର ଦ୍ଵାରା ମା’ କଟକଚଣ୍ଡୀଙ୍କ ପୀଠ ନିର୍ମାଣ ହୋଇଥିବା କିମ୍ବଦନ୍ତୀ ବର୍ଣ୍ଣିତ ଅଛି। ବର୍ତ୍ତମାନ ମା’ ଚଣ୍ଡୀଙ୍କ ମନ୍ଦିର ଥିବା ସ୍ଥାନଟି ପ୍ରଥମେ ରାଜାଙ୍କ ମେଣ୍ଢାଶାଳ ଥିଲା। ତତ୍କାଳୀନ ରାଜାଙ୍କ ପୁରୋହିତ ଭାବେ ହଂସ ପଣ୍ଡା ନାମକ ଜଣେ ପୂଜକ ଥିଲେ। ତାଙ୍କୁ ରାତିରେ ଦେବୀ ଚଣ୍ଡିକାଙ୍କ ସ୍ଵପ୍ନାଦେଶ ହେଲା ଯେ, ମା’ ଚଣ୍ଡୀ ସେହିଠାରୁ ଆବିର୍ଭାବ ହେବେ। ପୂଜକ ଏକଥା ରାଜାଙ୍କୁ କହିବା ବେଳେ ରାଜା ମଧ୍ୟ ସ୍ଵପ୍ନାଦେଶ ହୋଇଥିବା ସ୍ଵୀକାର କରିଥିଲେ।

ସ୍ଵପ୍ନାଦେଶ ଅନୁଯାୟୀ, ମେଣ୍ଢାଶାଳର ଜମିକୁ ଖୋଳା ଯାଇଥିଲା। ଖୋଳାଯିବା ବେଳେ ୪୦ ଶଗଡ଼ ସିନ୍ଦୁର ବାହାରିଥିଲା ଏବଂ ସେହିଠାରେ ମା’ ଅବିର୍ଭାବ ହୋଇଥିଲେ। ଏହା ହଜାରରୁ ୧୪୫୩ ଖ୍ରୀଷ୍ଟାଦ୍ଦର ବୋଲି ଅନୁମାନ କରାଯାଏ। ହଂସ ପଣ୍ଡାଙ୍କ ପରେ ତାଙ୍କର ଏକମାତ୍ର ପୁତ୍ର ଲକ୍ଷ୍ମଣ ପଣ୍ଡା ମା’ଙ୍କ ପୂଜା କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କର ୪ ଝିଅ ଥିଲେ। ପୁଅ ନଥିବାରୁ ତାଙ୍କ ପରେ ଏ ଦାୟିତ୍ୱ କିଏ ଗ୍ରହଣ କରିବ ବୋଲି ତାଙ୍କର ଚିନ୍ତା ଥିଲା।

ସେ ମା’ଙ୍କ ନିକଟରେ ଗୁହାରି କରିବା ପରେ ମା’ଙ୍କ ଦୟାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତାଙ୍କ ପୁଅଙ୍କର ୬ ପୁଅ ମଧ୍ୟ ମା’ଙ୍କ ପୂଜା ସେବାରେ ନିୟୋଜିତ ରହିଲେ। ଏବେ ସେମାନଙ୍କ ସନ୍ତାନମାନେ ମଧ୍ୟ ମା’ଙ୍କ ସେବାରେ ଲାଗି ପଡ଼ିଛନ୍ତି। କଟକରେ ଶକ୍ତି ପୂଜା ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଉଥିବାରୁ ମା’ କଟକଚଣ୍ଡୀଙ୍କ ପୀଠରେ ଦଶହରା, କାଳୀ ପୂଜା ଆଦି ନିଷ୍ଠାର ସହ ପାଳନ କରାଯାଏ।

ମା‘ଙ୍କୁ ବଳି ଦିଆଯାଏ ପାଣିକଖାରୁ

କଟକ ମା’ ଚଣ୍ଡୀଙ୍କ ମନ୍ଦିରରେ ନବରାତ୍ର ପୂଜା କାର୍ଯ୍ୟ ହୋଇଥାଏ। ଆଶ୍ୱିନ ମାସ ଶୁକ୍ଲପକ୍ଷଠାରୁ ନବମୀ ପର୍ଯ୍ୟନ୍ତ ମା’ଙ୍କ ସ୍ୱତନ୍ତ୍ର ପୂଜା ହୋଇଥାଏ। ଶାରଦୀୟ ପୂଜା ଅବସରରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ହୋଇଥାଏ। ଏହି ପୂଜାରେ ମା’ କଟକଚଣ୍ଡୀଙ୍କୁ ସୁନାବେଶ, ଭୁବନେଶ୍ୱରୀ, ମାତଙ୍ଗୀ, ବୈଷ୍ଣବୀ, ସିଦ୍ଧେଶ୍ୱରୀ, ଉଗ୍ରତାରା, ତ୍ରିପୁରାଭୈରବୀ, ଜଗଦ୍ଧାତ୍ରୀ, ଷୋଡ଼ଶୀ, ସିଂହବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଇଥାଏ। ପୀଠରେ ଅଷ୍ଟମୀ ତିଥିରେ ମା’ଙ୍କ ପାଖରେ ବଳି ଭୋଗ ହୋଇଥାଏ। ଜୀବବଳି ଦିଆ ନଗଲେ ମଧ୍ୟ ପାଣିକଖାରୁ, ବୁଢ଼ା କାକୁଡ଼ି ଆଦି ବଳି ମା’ଙ୍କୁ ସମର୍ପଣ କରାଯାଇଥାଏ।

Tags: #Culture #Festival #Durgapuja #Dashera #Cuttack #CuttackChandi

Comment