ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ରବିବାର ଦିନ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର।

ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମା’ ମାଣିକେଶ୍ଵରୀଙ୍କ ପୀଠରେ ମୁଣ୍ଡବସାଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ଵତନ୍ତ୍ର ପୂଜା କରାଯାଏ। ମା’ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ।

ମହାଷ୍ଟମୀ ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ। ପୁଣି ମା’ଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ। ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଆସିଛି।

ଛତରଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକଙ୍କ ସୁବିଧା ଲାଗି ଟ୍ରାଫିକ ନିୟନ୍ତ୍ରଣ ଓ ସ୍ଵତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଛି। ସୁରକ୍ଷା ନିମନ୍ତେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

ଏହି ଅବସରରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି। ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଛି। ମା’ଙ୍କ ଛତରଯାତ୍ରା ସମୟରେ ଶନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଭକ୍ତମାନଙ୍କ ସହଯୋଗ କାମନା କରିଛନ୍ତି କଳାହାଣ୍ଡି ଏସପି।

Tags: #Kalahandi #ChhatarJatra #Festival #dashera #culture #Tradition #MaaManikeswari

Comment