ଓଡ଼ିଶାଲାଇଭ୍ ବ୍ୟୁରୋ

ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ ଓ ସ୍ଵତନ୍ତ୍ର ପୂଜା ବିଧିରେ ମହିଷମର୍ଦିନୀଙ୍କୁ ଆବାହାନ କରାଯାଉଛି। ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ହୁଳହୁଳି ଶବ୍ଦରେ କମ୍ପୁଛି ପରିବେଶ। ପୂଜା ଦେଖିବାକୁ ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଜମୁଛି।

ଦୁର୍ଗା ପୂଜାରେ ମହାନବମୀ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମହାନବମୀ ଅବସରରେ ସକାଳେ ମା’ଙ୍କର ମହାସ୍ନାନ ପରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଇଥାଏ। ଏହାସହ ମଣ୍ଡପରେ ଚଣ୍ଡୀପାଠ ମଧ୍ୟ ହୋଇଥାଏ।

ପବିତ୍ର ମହାନବମୀରେ ରାଜ୍ୟର ବିଭିନ୍ନ ସହରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଖାସକରି କଟକ ଓ ଭୁବନେଶ୍ୱରରେ ମଣ୍ଡପଗୁଡ଼ିକର ଆକର୍ଷଣୀୟ ସାଜସଜ୍ଜାରେ ଚମକୁଛି ପୁରା ପରିବେଶ। ସୁନାଚାନ୍ଦି ମେଢ଼ରେ ଝଲସୁଛନ୍ତି ମା’ ଦୁର୍ଗା। ମା’ଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି।

ସେହିପରି ବିଭିନ୍ନ ପୂଜାମଣ୍ଡପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମା’ଙ୍କ ଦର୍ଶନ ସହ ମୀନା ବଜାରରେ ବୁଲିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି।

ଦୁର୍ଗା ପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି।  ପୂଜା ପାଇଁ ଭିଡ଼ ବଢ଼ୁଥିବାରୁ ସାରା ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #DurgaPuja #MahaNavamiPuja #Festival #Celebration #Dashara

Comment