ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହେଉଥିବା ଅଧିକାଂଶ ବ୍ୟକ୍ତି ଅକର୍ମଣ୍ୟ ହୋଇଯାଆନ୍ତି। ଏମାନେ ନିଜ କାମ ମଧ୍ୟ ଠିକ୍ ଭାବେ କରିବାକୁ ସମର୍ଥ ହୁଅନ୍ତି ନାହିଁ। ବ୍ରେନ ଷ୍ଟ୍ରୋକ୍‌ର ଲକ୍ଷଣକୁ ଚିହ୍ନି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଅନେକ ଲକ୍ଷଣ ଦେଖାଦେଇଥାଏ। ନିଜକୁ ସମ୍ଭାଳି ନପାରିବା, ଆଖିକୁ ଠକ୍ ଭାବେ ଦେଖାନଯିବା ବା ଝାପସା ଦେଖାଯିବା, ମୁହଁ ବଙ୍କା ହେଇଯିବା ବା ମୁହଁ ବଧିରା ହେବା, ହାତ ଝିମଝିମ ହେବା ବା କୌଣସି ବସ୍ତୁକୁ ଠିକ୍ ଭାବେ ଧରି ନପାରିବା ଏବଂ କଥା କହିବା ବେଳେ ପାଟି ଖନି ମାରିବା ଆଦି ଲକ୍ଷଣ ଦେଖା ଦେଲେ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥାଏ। ଷ୍ଟ୍ରୋକର ଲକ୍ଷଣକୁ ଚିହ୍ନି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇଲେ ଜଣେ ଅକର୍ମଣ୍ୟ ହେବା କିମ୍ବା ପ୍ରାଣ ହରାଇବାରୁ ବଞ୍ଚିଯାଇପାରିବ ବୋଲି ଡାକ୍ତର କୁହନ୍ତି।

ବ୍ରେନ୍‌ ଷ୍ଟ୍ରୋକ୍‌ର ଲକ୍ଷଣ କ’ଣ, କିଭଳି ଏହାକୁ ଚିହ୍ନିବେ ଏବଂ କେମିତି ଏହାର ଚିକିତ୍ସା କରାଯାଏ ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ବିସ୍ତୃତ ଭାବେ ଜାଣିବା।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags: #stroke #brainstroke #worldstrokeday #odiahealthtips #Doctorsadvice

Comment