ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱରରେ ବୁଧବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରରେ ଟ୍ରାଫିକ ଗାଇଡଲାଇନ ଜାରି ହୋଇଛି।  

କମିଶନରେଟ୍ ପୋଲିସର ଗାଇଡଲାଇନ ଅନୁସାରେ ଭସାଣ ବେଳେ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଭାରି ଯାନବାହାନ ଯିବାକୁ ଦିଆଯିବ ନାହିଁ। ବୁଧବାର ରାତି ୨ଟା ପର୍ଯ୍ୟନ୍ତ ତଥା ଭସାଣି ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ।

ସହିଦ ନଗର ପୂଜା ମଣ୍ଡପରୁ ଭସାଣି ବେଳେ ବାଣୀବିହାରରୁ ରୂପାଲି ଛକ ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିବ। ସେହି ସମୟରେ ସବୁ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇଯିବ।

ସେହିପରି ଜନପଥ ରାସ୍ତାରେ ଭସାଣି ବେଳେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ମନା କରିଛି କମିଶନରେଟ ପୋଲିସ। ଏହାସହ ନୟାପଲ୍ଳୀ ମଣ୍ଡପର ଭସାଣ ପାଇଁ ସିଆରପି ଛକରୁ ହାଇୱେ ତଳ ରାସ୍ତାରେ ଆସୁଥିବା ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଅନ୍ୟପଟେ ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ।

ଅନ୍ୟପଟେ ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନଗୁଡ଼ିକ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଦେଇଯିବ। ସେ ଗାଡ଼ିଗୁଡ଼ିକୁ ହାଇୱେ ପାର୍ଶ୍ଵ ରାସ୍ତାରେ ଛଡ଼ାଯିବ ନାହିଁ। ତେବେ ନିୟମ ଖିଲାପ କଲେ ୫୦୦ରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

Tags: #DurgaPuja #VasaniJatra #Festival #TrafficGuideline #CommissioneratePolice #Bhubaneswar

Comment