ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମହାମାୟାଙ୍କ ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମା’ଙ୍କ ପୂଜାପାଠ। ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନ ସମାଗମ ହୋଇଛି। ସେହିପରି ସବୁ ଶକ୍ତିପୀଠଗୁଡ଼ିକରେ ମଧ୍ୟ ଆଜି ଦଶହରା ପାଳିତ ହେଉଛି।

ଦୁର୍ଗା ପୂଜାରେ ବିଜୟାଦଶମୀ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଅବସରରେ ବୈଦିକ ରୀତିନୀତି ଅନୁସାରେ ମା’ଙ୍କ ପଞ୍ଚ ଉପଚାର ପୂଜା ଏବଂ ଅପରାଜିତା ପୂଜା କରାଯାଇଥାଏ। କେତେକ ସ୍ଥାନରେ ମା’ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯାଇଛି। ଏହାସହ ଶସ୍ତ୍ର ପୂଜା କରାଯିବାର ମଧ୍ୟ ପରମ୍ପରା ରହିଛି।

ସେହିପରି ବଙ୍ଗୀୟ ପରମ୍ପରା ଅନୁସାରେ ଆଜିର ଦିନରେ ମହିଳାମାନେ ମା’ଙ୍କୁ ସିନ୍ଦୂର ଲାଗି କରିବା ପରେ ସିନ୍ଦୂର ଖେଳରେ ମାତିଥାନ୍ତି। ଏହାସହ ସେମାନେ ମା’ଙ୍କ ଆଶୀର୍ବାଦ ପାଇଁ ପୂଜାର୍ଚ୍ଚନା କରିଥାନ୍ତି। ସେହିପରି ଆଜି ଲୋକେ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବାର ମଧ୍ୟ ଦେଖିବାକୁ ମିଳିଥାଏ।     

ପବିତ୍ର ଦଶହରାରେ ରାଜ୍ୟରେ ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଖାସକରି କଟକ ଓ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁନାଚାନ୍ଦି ମେଢ଼ ଲୋକଙ୍କ ମନ ମୋହୁଛି। ମା’ଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ମା’ଙ୍କ ଦର୍ଶନ ସହ ମୀନା ବଜାରରେ ବୁଲିବା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ୍ ଉତ୍ସାହିତ କରିଛି।  

ଦଶହରା ଅବସରରେ କଟକ ଓ ଭୁବନେଶ୍ୱର ସହ ରାଜ୍ୟର ଅନେକ ସହରରେ ରାବଣ ପୋଡ଼ି ଉତ୍ସବର ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ରାବଣ ପୋଡ଼ି ଦେଖିବା ଲାଗି ଆଜି ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଗହଳି ଲାଗିବାର ସମ୍ଭାବନା ରହିଛି। ଏଥିପାଇଁ ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟୁଇନ ସିଟିରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଗତ ପାଞ୍ଚ ଦିନ ହେଲା ପୂଜା ମଣ୍ଡପରେ ମା’ ଦର୍ଶନ ଦେଉଛନ୍ତି। ମହାଷଷ୍ଠୀରୁ ମା’ ଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଆଉ କିଛି ସମୟ ପରେ ମା’ ଭକ୍ତଙ୍କ ଗହଣରୁ ମେଲାଣି ନେବେ। ପୁଣି ଆର ବର୍ଷକୁ ଅପେକ୍ଷା। ଏଣୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଘରୁ ବାହାରି ଆସିଛନ୍ତି।

Tags: #DurgaPuja #VijayaDashami #Festival #Celebration #Dashara #Odisha

Comment