ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି। ବୁଧବାରଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ‘ବଡ଼ୁ ନିଯୋଗ’ ଲିଙ୍ଗରାଜଙ୍କ ବେବନ୍ଦୋବସ୍ତ ଜମିରେ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି।

ବୁଧବାର ସକାଳେ ମଙ୍ଗଳ ଆଳତୀ ନୀତି ପରେ ଲିଙ୍ଗରାଜ ମନ୍ଦିରରେ ବିବାଦ ଦେଖାଦେଇଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡ଼ୁ ନିଯୋଗ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ନୀତିକାନ୍ତିରୁ ଦୂରେଇ ରହିଥିଲେ। ଏଥିଲାଗି ମନ୍ଦିରରେ ଭୋଗ ମଧ୍ୟ ଉଠିନଥିଲା।

ତେବେ ମନ୍ଦିରରେ ‘ବଡ଼ୁ ନିଯୋଗ’ କରିଆସୁଥିବା ନୀତି ଚାଲୁ ରହିଛି। ହେଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ନିଜ ଜିଦରେ ଅଟଳ ରହି ସେବା ବନ୍ଦ ରଖିଛନ୍ତି। ସେବାୟତଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନର ନେଇଥିବା ପଦକ୍ଷେପ ଫଳପ୍ରଦ ହୋଇନାହିଁ।

ଭୁବନେଶ୍ୱର ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ପ୍ରଭୁ ଲିଙ୍ଗରାଜଙ୍କର ୨ ଏକର ବେବନ୍ଦୋବସ୍ତ ଜମି ଉପରେ ବଡ଼ୁ ନିଯୋଗ ନିର୍ମାଣ କାର୍ଯ୍ୟ କରୁଛି। ୨୦୧୮-୧୯ ମସିହାରେ ସେଠାରେ ପ୍ରାୟ ୧୮ଟି ଦୋକାନ ଘର ନିର୍ମାଣ କାମ ଆରମ୍ଭ ହୋଇଥିଲା। ସେତେବେଳେ ଦେବୋତ୍ତର କମିଶନର ଓ ମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ୁ ନିଯୋଗକୁ କାମ ବନ୍ଦ ନୋଟିସ୍ ଦିଆଯାଇଥିଲା।

ଏହାପରେ ମନ୍ଦିର ପ୍ରଶାସନର ନୋଟିସକୁ ଚ୍ୟାଲେଞ୍ଜ କରି ବଡ଼ୁ ନିଯୋଗ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। ତେବେ ହାଇକୋର୍ଟ ଦୋକାନ ଘର ନିର୍ମାଣ କାମ ପୁଣି ଆରମ୍ଭ କରିବା ପାଇଁ ବଡ଼ୁ ନିଯୋଗକୁ ଅନୁମତି ଦେଇଥିଲେ। ଏବେ ବଡ଼ୁ ନିଯୋଗ କାମ ଆରମ୍ଭ କରିଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି।

ସବୁ ବେବନ୍ଦୋବସ୍ତ ଜମି ପ୍ରଭୁ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବାବେଳେ ବଡ଼ୁ ନିଯୋଗ ଦ୍ୱାରା ଦୋକାନ ଘରକୁ ସମ୍ପୂର୍ଣ ନିର୍ମାଣ କରିବାକୁ ‌‌‌କେମିତି ଅନୁମତି ମିଳିଲା ବୋଲି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ପ୍ରଶ୍ନ ଉଠାଇଛନ୍ତି। ତେବେ ବିବାଦର ସମାଧାନ ନ ହେବା ଯାଏଁ ସେମାନେ ମନ୍ଦିରର ନୀତିକାନ୍ତି କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବିଭ୍ରାଟ ହୋଇଥିବା ଦେଖାଯାଇଛି। ତେବେ ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ହେଉଥିବାରୁ ଭକ୍ତଙ୍କ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି।

Tags: #LingarajTemple #ServitorsDispute #Rituals #LordLingaraj #Bhubaneswar

Comment