ଓଡ଼ିଶାଲାଇଭ୍ ବ୍ୟୁରୋ

(ଫ୍ଲୋରିଡା): ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଧୁମଧାମର ସହ ପାଳନ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ।

ଏଠାରେ ଦୀର୍ଘ ଚାରି ବର୍ଷ ଧରି ଦୁର୍ଗାପୂଜା ପାଳନ କରାଯାଉଛି। ଅକ୍ଟୋବର ୨୦ରୁ ୨୪ ତାରିଖ ପାଞ୍ଚ ଦିନ ଧରି ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ପ୍ରତି ସନ୍ଧ୍ୟାରେ ଆଳତୀ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଭଜନ ସନ୍ଧ୍ୟା, ସାମୁହିକ ଗର୍ବା ଏବଂ କୁନିକୁନି ପିଲାଙ୍କ ଦଣ୍ଡିଆ ଓ କଥକ ନୃତ୍ୟ ପୂଜା ଅବସରରେ ବିଶେଷ ଆକର୍ଷଣର ପାଲଟିଥିଲା। ମହାନବମୀ ସନ୍ଧ୍ୟାରେ କନ୍ୟା ପୂଜନ ଏବଂ ଧଶହରା ଦିନ ମହିଳାମାନଙ୍କ ‘ସିନ୍ଦୁର’ ଖେଳ ଅନୁଷ୍ଠିତ ହୋଇଥିଲା।

ଆୟୋଜିତ ଦୁର୍ଗାପୂଜା ଉତ୍ସବରେ ଓଡ଼ିଆଙ୍କ ସହ ପ୍ରବାସୀ ଭାରତୀୟମାନେ ମଧ୍ୟ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି ଆୟୋଜନକୁ ଅଧିକ ଆଡ଼ମ୍ବର ସହକାରେ ପାଳନ କରାଯିବ ବୋଲି ‘ଫ୍ଲୋରିଆ’ର ସଦସ୍ୟମାନେ କହିଛନ୍ତି।

Tags: #Durgapuja #Culture #celebration #Foriya #Florida #Tampa

LEAVE A REPLY

Please enter your comment!
Please enter your name here