ଓଡ଼ିଶାଲାଇଭ୍ ବ୍ୟୁରୋ

ଅଫେରା ରାଇଜରେ ଏବେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଶନିବାର ଦିନ କଟକସ୍ଥିତ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ଵରୂପ ନାୟକଙ୍କ ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି।
ଶୋକାକୂଳ ପରିବେଶ ମଧ୍ୟରେ ସ୍ଵରୂପ ନାୟକ ସବୁଦିନ ବିଦାୟ ନେଇଛନ୍ତି। ସ୍ଵର୍ଗତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ପରିବାର, ବନ୍ଧୁବାନ୍ଧବ, କଟକ ମେୟର ସୁବାସ ସିଂ, ଅନେକ କଳାକାର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କଟକସ୍ଥିତ ସତୀଚଉରାରେ ଉପସ୍ଥିତ ଥିଲେ।
ଶୁକ୍ରବାର ଅପରାହ୍ଣ ୨ଟା ୪୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଵରୂପ ନାୟକଙ୍କର ଦେହାନ୍ତ ହୋଇଥିଲା। ଦୀର୍ଘଦିନ ହେଲା ସେ କକର୍ଟ ରୋଗରେ ପୀଡ଼ିତ ଥିଲେ।
ସ୍ଵରୂପ ନାୟକ ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ସେ ଏକାଧାରରେ ଜଣେ ସଙ୍ଗୀତ ନିର୍ଦେଶକ, ଗାୟକ, ଅଭିନେତା ଏବଂ ଟେଲିଭିଜନ ବିଚାରକ ଥିଲେ।
ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଭାବେ ସେ ବେଶ୍ ପରିଚିତ ଥିଲେ। ୧୯୮୪ ମସିହାରେ ‘ହୀରାନୀଳା’ ଚଳଚ୍ଚିତ୍ରରୁ ସେ ନିଜର ସଙ୍ଗୀତ ନିର୍ଦେଶନା ଯାତ୍ରା ଆରମ୍ଭ କରିଥିଲେ।
‘ସହର ଜୁଳୁଛି’, ‘ଲାଲ୍ ପାନ ବିବି’, ‘ଉଦଣ୍ଡି ସୀତା’, ‘ସିନ୍ଦରୁ ନୁହେଁ ଖେଳଘର’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇ ଭିନ୍ନ ପରିଚୟ ହାସଲ କରିଥିଲେ ସ୍ଵରୂପ ନାୟକ।
ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସେ। ୧୯୬୨ ମସିହାରେ ‘ଜୟଦେବ’ ଚଳଚ୍ଚିତ୍ରରେ ତାଙ୍କୁ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲା। ସ୍ଵରୂପ ନାୟକଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଛି।
Tags: #SwarupNayak #musicdirector #cremation #cuttack #odisha