ଓଡ଼ିଶାଲାଇଭ୍ ବ୍ୟୁରୋ

କେୟାର ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ପାଳିତ ହୋଇଯାଇଛି ବିଶ୍ୱ ଷ୍ଟ୍ରୋକ୍ ଦିବସ। ଏହି ଅବସରରେ ଭୁବନେଶ୍ଵରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଓଡ଼ିଶା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ଉଦଘାଟନ କରିଥିଲେ।

ବ୍ରେନ୍ ଷ୍ଟ୍ରୋକ ବାବଦରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେୟାର ହସ୍ପିଟାଲ ପକ୍ଷରୁ ଏହି କାର୍ଯ୍ୟକ୍ରମର କରାଯାଇଥିଲା। ଏଠାରେ ବିଶେଷଜ୍ଞ ଡାକ୍ତରମାନେ ବ୍ରେନ୍ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ।

“ଆଜିର ସମୟରେ ବ୍ରେନ୍ ଷ୍ଟ୍ରୋକ ଅନେକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ସମ୍ପର୍କରେ ଲୋକମାନଙ୍କୁ ବିଶେଷ ସଚେତନ ହେବାର ଆବଶ୍ୟକତା ରହିଛି। ବ୍ରେନ୍ ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ସହ ସୁସ୍ଥ୍ୟ ଖାଦ୍ୟପେୟ ଓ ଜୀବନଶୈଳୀ ଉପରେ ଆମକୁ ଗୁରୁତ୍ଵ ଦେବାକୁ ପଡ଼ିବ। ମୋର ବିଶ୍ଵାସ କେୟାର ହସ୍ପିଟାଲର ଏହି କାର୍ଯ୍ୟକ୍ରମ ଲୋକଙ୍କୁ ଷ୍ଟ୍ରୋକ ସଚେତନତାର ଉପଯୁକ୍ତ ବାର୍ତ୍ତା ଦେବ”, କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ।

ଏହି କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ପରିଚାଳନା ଅଧିକାରୀ କିଶଲେୟ ଆନନ୍ଦ ପ୍ରତିଦିନ ଚାଲିବା ଆମ ସ୍ଵାସ୍ଥ୍ୟ ପାଇଁ କେତେ ଉପକାରୀ ସେ ସମ୍ପର୍କରେ କହିଥିଲେ। ଏହାସହ ସେ ସାଧାରଣ ଲୋକଙ୍କୁ ବିଭିନ୍ନ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ।

ଏହି ପଦଯାତ୍ରା ଅବସରରେ ହସ୍ପିଟାଲର କର୍ମଚାରୀମାନେ ସାଧାରଣ ଲୋକଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ବିଷୟରେ ଲିଫଲେଟ୍‌ ଓ ପ୍ଲାକାର୍ଡ ମାଧ୍ୟମରେ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲର ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା, ଡାକ୍ତର ମିତାଲି କର, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ଦାଶ, ଡାକ୍ତର ଦୀପକ ପରିଡ଼ା, ଡାକ୍ତର ଆତ୍ମରଞ୍ଜନ ଦାଶ, ଡାକ୍ତର ଲୋକନାଥ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନେକ ସାଧାରଣ ଲୋକ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Tags: #WorldStrokeDay2023 #StrokeAwareness #Walkathon #StrokefreeWorld #CareHospitals #Bhubaneswar

Comment