ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ରେଳ ଦୁର୍ଘଟଣା। ରବିବାର ସନ୍ଧ୍ୟା ୭ଟା ୧୦ ମିନିଟରେ ୨ଟି ପସେଞ୍ଜର ଟ୍ରେନର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି।

ରବିବାର ବିଜୟନଗରମ-ବିଶାଖାପାଟଣା ରେଳ ଲାଇନର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବିଶାଖାପାଟଣାରୁ ପଲାସା ଯାଉଥିବା (୦୮୫୩୨) ପସେଞ୍ଜର ଟ୍ରେନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମେନ ଲାଇନରେ ଅଟକି ରହିଥିଲା। ସେହି ସମୟରେ ବିଶାଖାପାଟଣାରୁ ରାୟଗଡ଼ା ଯାଉଥିବା (୦୮୫୦୪) ପାସେଞ୍ଜର ଟ୍ରେନ ଅଟକିଥିବା ପଲାସା ପସେଞ୍ଜରକୁ ପଛରୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ପଲାସା ଯାଉଥିବା ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହାର କିଛି ବଗି ପାଖ ରେଳ ଟ୍ରାକରେ ମଧ୍ୟ ପଡ଼ିଥିଲା। ସେହି ସମୟରେ ଉକ୍ତ ଟ୍ରାକରେ ଆସୁଥିବା ଏକ ମାଲଗାଡ଼ି ସହ ପଲାସା ପାସେଞ୍ଜରର ବଗି ମଧ୍ୟ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ଵାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାପରେ ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଲାଇନଚ୍ୟୁତ ହୋଇଥିବା ବଗି ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ସେହିପରି ମୃତ ଯାତ୍ରୀମାନଙ୍କ ଶରୀରକୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର କାମକୁ ତ୍ଵରାନ୍ଵିତ କରିବା ପାଇଁ ରବିବାର ରାତିରେ ଭୁବନେଶ୍ୱରରରୁ ଏନଡିଆରଏଫ, ଓଡ୍ରାଫ ଟିମ ଏବଂ ରେଳବାଇର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ରେଳବାଇର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ।

ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ପାଇଁ ୧୫ରୁ ଉର୍ଦ୍ଧ ଆମ୍ବୁଲାନ୍ସ କାର୍ଯ୍ୟରତ ରହିଥିଲା। ସମସ୍ତ ଆହତ ଓ ମୃତକମାନଙ୍କୁ ବିଜୟନଗରମ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମୃତକମାନଙ୍କୁ ଚିହ୍ନଟ୍ କରାଯାଉଛି। ଏବେ ସୁଦ୍ଧା ୧୪ ଜଣ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି।

ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁର୍ଘଟଣା ବିଷୟରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଟେଲିଫୋନ୍‌ ଯୋଗେ ଆଲୋଚନା କରିଥିଲେ।  

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପାଇଁ ୧୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବାକୁ ଘୋଷଣା କରାଯାଇଛି।

ସେହିପରି ଆନ୍ଧ୍ରପ୍ରଦେଶ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ଯାତ୍ରୀଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଆନ୍ଧ୍ରପ୍ରଦେଶ ସରକାର ନିଜ ଆଡ଼ୁ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

ତେବେ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ଅନୁସାରେ ରାୟଗଡ଼ା ପାସେଞ୍ଜର ସିଗନାଲକୁ ଖାତିର ନକରି ପଲାସା ପାସେଞ୍ଜରକୁ ପଛରୁ ଧକ୍କା ଦେଇଥିଲା। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହାର ପ୍ରକୃତ କାରଣ ପରବର୍ତ୍ତୀ ତଦନ୍ତରୁ ଜଣାପଡ଼ିବ। ଏନେଇ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି।

ଏହି ଦୁର୍ଘଟଣା ପରେ ବିଶାଖାପାଟଣା ଭୁବନେଶ୍ୱର ମଧ୍ୟରେ ରେଳ ଚଳାଚଳ ବ୍ୟାହତ ହୋଇଛି। ବର୍ତ୍ତମାନ ସୁଦ୍ଧା ୪୫ଟି ଟ୍ରେନ ବାତିଲ ହୋଇଥିବାବେଳେ ଅନେକ ଟ୍ରେନର ଗତିପଥ ବଦଳାଯାଇଛି। ଏବେ ଘଟଣାସ୍ଥଳରେ ଯାତ୍ରୀଙ୍କ ଉଦ୍ଧାରକାର୍ଯ୍ୟ ସରିଥିବାବେଳେ ଟ୍ରାକ ମରାମତି କାମ ଜାରି ରହିଛି।  

Tags: #TrainAccident #TrainMishap #Vizianagaram #Passengers #EastCoastRailways #AndhraPradesh #India

Comment