ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ୨ ହଜାର ଟଙ୍କା ନୋଟ ବଦଳାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ବ୍ୟାଙ୍କ ଖୋଲିବା ଆଗରୁ ଲୋକ ଲମ୍ବା ଧାଡ଼ି ଲଗାଉଛନ୍ତି। ତେବେ ଲୋକେ ଏତେ ସଂଖ୍ୟାରେ ନୋଟ ବଦଳାଇବାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଅଧିକ ମାତ୍ରାରେ ନୋଟ ବଦଳାଯିବାକୁ ନେଇ ଏବେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତତ୍ପର ହୋଇଛି। ମଙ୍ଗଳବାର ଇଓଡବ୍ଲୁର ଦୁଇ ଜଣ ଅଧିକାରୀ ଧାଡ଼ି ଲଗାଇଥିବା କିଛି ଲୋକଙ୍କୁ ଟଙ୍କା ବାବଦରେ ପଚରାଉଚରା କରି ସେମାନଙ୍କ ଆଧାରକାର୍ଡ ଯାଞ୍ଚ କରିଛନ୍ତି। ହେଲେ ଲୋକମାନେ କାହା ପାଇଁ ଟଙ୍କା ବଦଳାଉଛନ୍ତି, ସେ ବିଷୟରେ କିଛି କହୁନାହାନ୍ତି।

କିଛି ବ୍ୟବସାୟୀ ମହଜୁଦ କରି ରଖିଥିବା ଟଙ୍କା ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଅଭିଯୋଗ ହୋଇଛି। ଅନେକ ଲୋକଙ୍କୁ ୨୦ ହଜାର ଟଙ୍କା ବଦଳାଇଲେ ମାଲିକଙ୍କଠାରୁ ୩୦୦ ଟଙ୍କା ମିଳୁଛି। ଲୋକେ ଏକାଧିକ ଥର ଧାଡ଼ିରେ ଠିଆ ହୋଇ ନୋଟ ବଦଳାଉଥିବା ଦେଖିବାକୁ ମିଳିଛି।

ଦେଶରେ ୨ ହଜାର ଟଙ୍କା ନୋଟ ବଦଳାଇବା ପାଇଁ ଅକ୍ଟୋବର ୭ ଶେଷ ତାରିଖ ଥିଲା। ଏହାପରେ ଦେଶର ୧୯ଟି ରିଜର୍ଭ ବ୍ୟାଙ୍କରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଟଙ୍କା ବଦଳ ପାଇଁ ସମୟ ସରିବାପରେ ଏତେ ନୋଟ କେଉଁଠୁ ଆସୁଛି ସେ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।   

Tags: #ReserveBankofIndia #TwothousandRupeesNote #NoteExchange #Bhubaneswar

Comment