ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ। କାର୍ତ୍ତିକ ମାସ ପରଦିନ ନଭେମ୍ବର ୨୮ ତାରିଖରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) ପକ୍ଷରୁ ଏହି ଲେଜର ସ୍କାନିଂ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଥିପାଇଁ ଏଏସଆଇକୁ ଅନୁମତି ମିଳିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ଲେଜର ସ୍କାନିଂ ମଧ୍ୟମରେ ରତ୍ନଭଣ୍ଡାରର ସ୍ଥିତି ଓ ନିରାପତ୍ତାକୁ ଯାଞ୍ଚ କରାଯିବ। ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବାପରେ କେଉଁ ସ୍ଥାନରେ ଫାଟ ରହିଛି ଏବଂ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ।

ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଏଏସଆଇ ଦେଇଥିବା ପ୍ରସ୍ତାବକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ତର୍ଜମା କରାଯାଇଥିଲା। ଏହା ଉପରେ ଅନେକ ଆଲୋଚନା ପରେ ଏଏସଆଇକୁ ଅନୁମତି ଦିଆଯାଇଛି।

ଏବେ କାର୍ତ୍ତିକ ବ୍ରତ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ରହୁଛି। ଏଥପାଇଁ କାର୍ତ୍ତିକ ମାସ ସରିବା ପରଦିନ ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ହେବ। ଏହାପୂର୍ବରୁ ପ୍ରକଳ୍ପର ସବୁ କାମ ସରିବ। ଏହି ଉତ୍ସବରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।    

ଶନିବାର ପୁରୀର ନିଳାଦ୍ରୀ ଭକ୍ତ ନିବାସଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହାର ଅଧ୍ୟକ୍ଷତା କରିଥିଲେ। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏଏସାଆଇ ସୁପରିଟେଣ୍ଡଣ୍ଟ ଡ଼ି.ବି ଗଡ଼ନାୟକଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ।

Tags; #SriMandir #RatnaBhandar #LeaserScanning #ASI #SJTA #Puri

Comment