ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ରାଜନେତା ମହେଶ୍ଵର ମହାନ୍ତିଙ୍କ ପରଲୋକ ଘଟିଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ରହିବା ପରେ ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳେକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ରାଜନୀତି ଓ ଅନ୍ୟ ଜଗତର ବ୍ୟକ୍ତିବିଶେଷମାନେ ଶୋକ ପ୍ରକାଶ କରିଛନ୍ତି।

ମହେଶ୍ଵର ମହାନ୍ତିଙ୍କ ଦେହ ଅସୁସ୍ଥ ରହିବାରୁ ତାଙ୍କୁ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ବିଶେଷ ସୁଧାର ଅସୁନଥିଲା। ସେ ଧୀରେ ଧୀରେ ଗୁରୁତର ହେବାରେ ଲାଗିଥିଲେ। ଶେଷରେ ମଙ୍ଗଳବାର ଭୋର ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ରଖାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

ଶଙ୍ଖଭବନ ପରେ ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ବିଧାନସଭାକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା। ଏଠାରେ ବିଭିନ୍ନ ଦଳର ନେତା ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବିଧାନସଭାରେ ଗାର୍ଡ ଅଫ ଅନର୍ ଦିଆଯିବାପରେ ମହେଶ୍ଵର ମହାନ୍ତିଙ୍କ ପାର୍ଥିବ ଶରୀରକୁ ଏବେ ପୁରୀ ଅଭିମୁଖେ ନିଆଯାଉଛି। ପୁରୀସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ମଙ୍ଗଳବାର ଅପରାହ୍ଣରେ ସ୍ୱର୍ଗଦ୍ଵାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ମହେଶ୍ଵର ମହାନ୍ତି ୧୯୫୬ ମସିହା ଫେବ୍ରୁଆରି ୨୬ ତାରିଖରେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ। ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଲଏଲବି ଅଧ୍ୟୟନ କରିଥିଲେ। ପେସାରେ ଜଣେ ଆଇନଜୀବୀ ଥିଲେ ମହେଶ୍ଵର ମହାନ୍ତି। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ।

ମହେଶ୍ଵର ମହାନ୍ତିଙ୍କ ରାଜନୈତିକ ଜୀବନ

୧୯୮୫ ମସିହାରେ ମହେଶ୍ଵର ମହାନ୍ତି ପୁରୀ ପୌର ନିର୍ବାଚନରେ ଭାଗ ନେଇ ରାଜନୈତିକ କ୍ୟାରିୟରରେ ପ୍ରଥମ ସଫଳତା ହାସଲ କରିଥିଲେ। ୧୯୮୫ରୁ ୧୯୯୦ ପର୍ଯ୍ୟନ୍ତ ସେ ପୁରୀର ପୌରାଧ୍ୟକ୍ଷ ଥିଲେ। ଏହାପରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ଵ କାଳରେ ପୌରାଧ୍ୟକ୍ଷ ପଦ ପାଇଁ ୧୯୯୨ ମସିହାରେ ହୋଇଥିବା ସିଧାସଳଖ ନିର୍ବାଚନରେ ସେ ଜନତା ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

ଏହାପରେ ୧୯୯୫ ମସିହାରେ ଜନତା ଦଳ ଟିକେଟରୁ ପ୍ରଥମଥର ପାଇଁ ପୁରୀ ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ମହେଶ୍ଵର ମହାନ୍ତି। ସେ ୧୯୯୫ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତାର ୫ଥର ପୁରୀରୁ ବିଧାୟକ ନିର୍ବାଚିତ ହୋଇଥିଲେ।

ମହେଶ୍ଵର ମହାନ୍ତି ଓଡ଼ିଶାର ଜଣେ ସଫଳ ରାଜନେତା ଭାବେ ପରିଗଣିତ ହେଉଥିଲେ। ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ରହିଥିଲେ। ଏହାପରେ ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ନିଜ କାର୍ଯ୍ୟକାଳରେ ପଞ୍ଚାୟତିରାଜ, ରାଜସ୍ୱ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ ମହେଶ୍ଵର ମହାନ୍ତି।

Tags: #MaheswarMohanty #Politician #Politics #BJD #Puri #Odisha

Comment