ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ। ଏଥିପାଇଁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଚାଲିଛି ପ୍ରଚାର। ଗୁରୁବାର ଦିନ ଆର୍ମୋର ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର ସମୟରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ (କେଟିଆର)। ଗାଡ଼ି ଉପରେ ଛିଡ଼ାହୋଇ ପ୍ରଚାର କରୁଥିବାବେଳେ ତଳକୁ ଖସି ପଡ଼ିଥିଲେ କେଟିଆର।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପୁଅ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦଳର କାର୍ଯ୍ୟରତ ସଭାପତି କେଟି ରାମା ରାଓ ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଆର୍ମୋର ନିର୍ବାଚନମଣ୍ଡଳୀ ଯାଇଥିଲେ।

ନିର୍ବାଚନ ପ୍ରଚାର ପାଇଁ ଏକ ଗାଡ଼ି ଉପରେ ଦଳୀୟ କର୍ମୀମାନଙ୍କ ସହ ଛିଡ଼ା ହୋଇ ପ୍ରଚାର କରୁଥିଲେ କେଟିଆର। ଏତିକି ସମୟରେ ପ୍ରଚାର ଗାଡ଼ି ଆଗରେ ଯାଉଥିବା ଅନ୍ୟ ଏକ ଗାଡ଼ି ହଠାତ୍ ଅଟକି ଯାଇଥିଲା। ଏହା ଦେଖି କେଟିଆର ପ୍ରଚାରରେ ଯାଉଥିବା ଗାଡ଼ିଟି ହଠାତ୍ ବ୍ରେକ୍ ଲଗାଇଥିଲା। ଫଳରେ ଗାଡ଼ି ଉପରେ ଥିବା ଲୁହା ରେଲିଂଟି ଭାଙ୍ଗିଯିବାରୁ ଭାରସାମ୍ୟ ହରାଇ କେଟିଆର ତଳକୁ ଖସିପଡ଼ିଥିଲେ। ଏହା ସହ ଗାଡ଼ି ଉପରେ ଥିବା ପ୍ରାୟ ୧୦ ଜଣ ଦଳୀୟ କର୍ମୀ ମଧ୍ୟ ତଳକୁ ଖସିପଡ଼ିଥିଲେ।

ଏହି ଦୁର୍ଘଟଣାରୁ କେଟିଆର ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଆର୍ମୋର ପ୍ରାର୍ଥୀ ଜୀବନ ରେଡ୍ଡୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ପରେ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ କେଟିଆର।

Tags: #Politics #TelenganaPolitics #Election #Campaign #KTRamaRao #Accident

Comment