ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଭାରତରେ ଉଦବେଗଜନକ ଭାବେ ବଢ଼ୁଛି ଡାଏବେଟିସ୍ ରୋଗୀଙ୍କ ସଂଖ୍ୟା

ଆଜିର ସମୟରେ ଡାଏବେଟିସ୍ ବା ମଧୁମେହ ରୋଗ ବିଶ୍ଵରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶ୍ଵର ପ୍ରାୟ ସବୁ ଦେଶରେ ଅଧିକ ମାତ୍ରାରେ ଡାଏବେଟିସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଭାରତ ମଧ୍ୟ ଏଥରୁ ବର୍ତ୍ତି ପାରିନାହିଁ।

ବିଶ୍ଵରେ ଚୀନ ପରେ ସବୁଠାରୁ ଅଧିକ ଡାଏବେଟିସ୍ ରୋଗୀ ଭାରତରେ ରହିଛନ୍ତି। ବିଶ୍ଵର ୧୭ ପ୍ରତିଶତ ଡାଇବେଟିସ୍ ରୋଗୀ ଆମ ଦେଶରେ ଅଛନ୍ତି। ଏହା ଭାରତରେ ସବୁଠୁ ତୀବ୍ର ଗତି ବଢ଼ୁଥିବାରୁ ଦେଶକୁ ‘ଡାଏବେଟିସ୍ କ୍ୟାପିଟାଲ ଅଫ ଦି ୱାର୍ଲ୍ଡ’ ମଧ୍ୟ କୁହାଯାଉଛି।

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍)ର ରିପୋର୍ଟ ଅନୁସାରେ ଭାରତରେ ବର୍ତ୍ତମାନ ୧୦୧ ମିଲିୟନ ବା ୧୦ କୋଟି ୧୦ ଲକ୍ଷରୁ ଅଧିକ ଡାଏବେଟିସ୍ ରୋଗୀ ଅଛନ୍ତି। ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଲୋକ ଡାଏବେଟିସରେ ପୀଡ଼ିତ ଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ଆଇସିଏମଆର୍ ରିପୋର୍ଟ ଅନୁସାରେ ୨୦୧୯ ମସିହା ପରେ ଦେଶରେ ଡାଏବେଟିସ୍ ରୋଗୀଙ୍କ ସଂଖ୍ୟାରେ ୪୪ ପ୍ରତିଶତ ବୃଦ୍ଧି ହୋଇଛି। ୪ ବର୍ଷ ତଳେ ଏହି ସଂଖ୍ୟା ୭ କୋଟି ୭୦ ଲକ୍ଷ ଥିଲା।

ଅନ୍ୟପଟେ ଏହି ରିପୋର୍ଟ ଅନୁସାରେ ଭାରତର ୧୫.୩ ପ୍ରତିଶତ ଲୋକଙ୍କ ଡାଏବେଟିସ୍ ହେବାର ବହୁତ ସମ୍ଭାବନା ରହିଛି। ଆଇସିଏମଆର୍ ସର୍ଭେରେ ସାମିଲ ହୋଇଥିବା ଅନେକ ଲୋକଙ୍କ ବ୍ଲଡ ସୁଗାର ଅଧିକ ରହୁଥିବାରୁ ସେମାନେ ଭବିଷ୍ୟତରେ ଡାଏବେଟିସରେ ପୀଡ଼ିତ ହେବାର ଅଧିକ ସମ୍ଭାବନା ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।  

ତେବେ ଭାରତରେ ସର୍ବାଧିକ ଡାଇବେଟିସ୍ ରୋଗୀ ଗୋଆରେ ରହିଛନ୍ତି। ଆଇସିଏମଆର୍ ରିପୋର୍ଟ ଅନୁସାରେ ଗୋଆର ୨୬.୪ ପ୍ରତିଶତ ଲୋକ ଉଭୟ ଟାଇପ୍-୧ ଓ ଟାଇପ୍-୨ ଡାଇବେଟିସରେ ପୀଡ଼ିତ। ସେହିପରି ୨୬.୩ ପ୍ରତିଶତ ଡାଇବେଟିସ୍ ରୋଗୀଙ୍କ ସହ ପଣ୍ଡିଚେରି ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ୨୫.୫ ପ୍ରତିଶତ ସହ କେରଳ ଦେଶର ତୃତୀୟ ସର୍ବାଧିକ ଡାଇବେଟିସ୍ ରୋଗୀ ଥିବା ରାଜ୍ୟ ପାଲଟିଛି।

ସେହିପରି ଭାରତରେ ଥିବା ମୋଟ ଡାଇବେଟିସ୍ ରୋଗୀଙ୍କ ମଧ୍ୟରେ ଓଡ଼ିଶାରେ ୨ରୁ ୩ ପ୍ରତିଶତ ରୋଗୀ ରହିଛନ୍ତି। ରାଜ୍ୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଡାଇବେଟିସରେ ପୀଡ଼ିତ ଅଛନ୍ତି। ଓଡ଼ିଶାରେ ଜାତୀୟ ହାର ତୁଳନାରେ କମ ଡାଇବେଟିସ୍ ରୋଗୀ ଥିଲେ ମଧ୍ୟ ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି ଆଇସିଏମଆର୍ ରିପୋର୍ଟରେ କୁହାଯାଇଛି।    

ତେବେ ଭାରତରେ ଅନେକ ଲୋକଙ୍କୁ ଡାଇବେଟିସ୍ ହୋଇଥିଲେ ମଧ୍ୟ ସେମାନେ ଏହାକୁ ଜାଣି ପାରନ୍ତିନାହିଁ। ଏହି ଡାଇବେଟିସ୍ ସେମାନଙ୍କ ଶରୀରରେ ଅନ୍ୟ ମାରାମତ୍କ ରୋଗଗୁଡ଼ିକୁ ଆମନ୍ତ୍ରଣ କରୁଛି। ଡାଇବେଟିସ୍ ରୋଗୀଙ୍କୁ ଉଚ୍ଚ ରକ୍ତଚାପ, ହାଇପର ଟେନସନ ଏବଂ ହୃଦଘାତ ହେବାର ଅନେକ ସମ୍ଭାବନା ରହିଛି।     

ଡାଏବେଟିସ୍ ବିଷୟରେ ସଚେତନା ପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ‘ବିଶ୍ଵ ଡାଏବେଟିସ୍ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଡାଏବେଟିସ୍ ସହିତ ଜୀବନ’।

ଏହି ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଡାଏବେଟିସ୍ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ୩ ଦିନ ଧରି ହେବାକୁଥିବା କାର୍ଯ୍ୟକ୍ରମରେ ଡାଏବେଟିସ୍ ସମ୍ପର୍କରେ ବିଶିଷ୍ଟ ଡାକ୍ତରମାନଙ୍କର ପରାମର୍ଶ ରହିଥିବା ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ଏଥିରେ ଡାଏବେଟିସ୍‌ର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

Tags: #WorldDiabetesDay2023 #DiabetesCases #DiabetesCapitaloftheWorld #IFIFoundation #HealthAwarenessCampaign #OdiaHealthTips

LEAVE A REPLY

Please enter your comment!
Please enter your name here