ଓଡ଼ିଶାଲାଇଭ୍ ବ୍ୟୁରୋ

“ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ। ବର୍ତ୍ତମାନ ସମୟରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସୁବକ୍ଷେତ୍ରରେ କରାଯାଉଛି। ଏହା ଯୋଗୁଁ କମ୍‌ ସମୟ ଏବଂ ସମ୍ବଳ ବ୍ୟବହାର କରି ଅନେକ କାମ କରିହେଉଛି। କୃତ୍ରିମ ବୁଦ୍ଧିମତାର ସଠିକ୍ ବ୍ୟବହାର ପ୍ରତି ଗଣମାଧ୍ୟମ ଯତ୍ନବାନ ହେବା ଆବଶ୍ୟକ”, ରାଜ୍ୟସ୍ତରୀୟ ପ୍ରେସ ଦିବସ ପାଳନ ଅବସରରେ କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପଦୀପ କୁମାର ଅମାତ।

ଗୁରୁବାର ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ଗୋଟିଏ ଲେଖାଏଁ ଶୀର୍ଷକକୁ ନେଇ ଏହି ଅବସରରେ ଆଲୋଚନା ହୋଇଥାଏ। ଚଳିତ ବର୍ଷର ଶୀର୍ଷକ ରହିଛି ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତ ଭାବେ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ ଯୋଗ ଦେଇଥିଲେ। ଜାତୀୟ ପ୍ରେସ ଦିବସ ଅବସରରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଉପରେ ଆଲୋକପାତ କରି ନୀଳାମ୍ବର ରଥ କହିଥିଲେ କୃତ୍ରିମ ବୁଦ୍ଧିମତା ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ନହୋଇ ନିଜସ୍ଵ ଚିନ୍ତାଚେତନାକୁ ସମାନ୍ତରାଳ ଭାବେ ବ୍ୟବହାର କରିବାର ଆବଶ୍ୟକତା ରହିଛି।

ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ଯୋଗ ଦେଇ ଗଣମାଧ୍ୟମର ପ୍ରତିନିଧିମାନେ ମହିଳା ଓ ଶିଶୁ ସମ୍ପର୍କୀତ ଖବର ପରିବେଷଣ ବେଳେ ବିଶେଷ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ। ସାଧାରଣ ଲୋକଙ୍କ ହିତ ଲାଗି କିପରି ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହୋଇପାରିବ ସେ ଦିଗରେ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ଜାତୀୟ ପ୍ରେସ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ପୌରୋହିତ୍ୟ କରି କହିଥିଲେ ଗଣତନ୍ତ୍ରକୁ ଛାଡ଼ି ଅନ୍ୟ କୌଣସି ତନ୍ତ୍ର ଭାରତବର୍ଷରେ ତିଷ୍ଠି ପାରିବ ନାହିଁ ବୋଲି ସମସ୍ତେ ଅବଗତ। ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ଖବର ପରିବେଷଣ କରିବା ଉପରେ ଗୁରୁତ୍ଵ ଦେବାର ଆବଶ୍ୟକତା ରହିଥିବା ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଦେବୀ ପ୍ରସାଦ ରଥା ପ୍ରଥମ, ଭୁବନେଶ୍ଵର ଇନଷ୍ଟିଚ୍ୟୁଟ ଅଫ୍ ମେଡିଆ ଷ୍ଟଡିଜର କାଳିଚରଣ ରଣଜିତ ଦ୍ଵିତୀୟ, କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର କୁମାର ଜ୍ୟୋତି ମଞ୍ଜରୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ।

ସେହିପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ ବିଶ୍ଵବିଦ୍ୟାଳୟର କୁମାରୀ ଅଭିଲିପ୍ସା ମହାନ୍ତି ପ୍ରଥମ ଓ କୁମାରୀ ବର୍ଷା ବହିଦାର ଦ୍ଵିତୀୟ, ରେଭେନ୍ସା ବିଶ୍ଵବିଦ୍ୟାଳୟର କୁମାରୀ ଶ୍ରୀଜାତା ମିଶ୍ର ଓ କୁମାର ଶିଲା ପ୍ରିୟଦର୍ଶିନୀ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରୁଥିବା ପେପର ମ୍ୟାନ ଇଣ୍ଡିଆ ଭାବେ ଜଣାଶୁଣା ଶଶାଙ୍କ ଶେଖର ଦାଶଙ୍କୁ ସମ୍ମାନିତ କରାଯାଇଥିଲା।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସୂଚନା ଅଧିକାରୀ ତନୁଜା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ। ଏଥିରେ ମୋଟ ୬୩ଟି ପତ୍ରିକା, ୫୯ଟି ବିଦେଶୀ ଖବରକାଗଜ, ୧୧୦ଟି ପୁରାତନ ଖବରକାଗଜ ସମେତ ୫୭୦ଟି ଖବରକାଗଜ ଏବଂ ପତ୍ରିକା ସ୍ଥାନ ପାଇଛି।

Tags: #NationalPressDay #I&PrDepartmentOdisha #Celebration #TheMediaintheEraofArtificialIntelligence

Comment