କପିଳାସ ଭୂୟାଁ

ଭିନ୍ନକ୍ଷମତା ଏକ ଶାରୀରିକ ଅବସ୍ଥା ଏବଂ କେତେକ ବ୍ୟକ୍ତି ସେଭଳି ଅବସ୍ଥାରେ ଜନ୍ମ ହୋଇଥିଲା ବେଳେ ଅନ୍ୟ କିଛି ବ୍ୟକ୍ତି ପରିସ୍ଥିତି କ୍ରମେ ସେହି ଅବସ୍ଥାରେ ପଡ଼ିଥାଆନ୍ତି।

ଯୁଗ ଯୁଗ ଧରି ଧର୍ମ, ସାହିତ୍ୟ ଓ ଚିତ୍ରକଳା ଆଦିରେ ସମାଜର ଚିତ୍ର ଉପସ୍ଥାପିତ ହୋଇଆସିଛି। ସେଥିରୁ ସାଧାରଣ ଲୋକେ ନାନାଦି ଶିକ୍ଷା ଗ୍ରହଣ କରିଛନ୍ତି ଓ ତାହା ଦ୍ଵାରା ସମାଜ ସଂସ୍କାର ପ୍ରକ୍ରିୟା ତ୍ଵରାନ୍ଵିତ ହୋଇପାରିଛି। କେହି ଭିନ୍ନକ୍ଷମ ହୋଇ ଜନ୍ମ ହେବା ପାପ ବା ଅପରାଧ ନୁହେଁ।

ଭିନ୍ନକ୍ଷମତା ଏକ ଶାରୀରିକ ଅବସ୍ଥା ଏବଂ କେତେକ ବ୍ୟକ୍ତି ସେଭଳି ଅବସ୍ଥାରେ ଜନ୍ମ ହୋଇଥିଲା ବେଳେ ଅନ୍ୟ କିଛି ବ୍ୟକ୍ତି ପରିସ୍ଥିତି କ୍ରମେ ସେହି ଅବସ୍ଥାରେ ପଡ଼ିଥାଆନ୍ତି। ସେଭଳି ଅବସ୍ଥା ଚକ୍ରରେ ପଡ଼ିଥିବା ବ୍ୟକ୍ତି ବା ଚରିତ୍ରମାନଙ୍କୁ ଧର୍ମ ଅବତାରଣା, ସାହିତ୍ୟର ବର୍ଣ୍ଣନା ଓ ଚିତ୍ରକଳ୍ପ ଆଦିରେ କିପରି ଉପସ୍ଥାପନ କରାଯାଇଛି ସେ ସମ୍ପର୍କରେ ଏକ ଦୁଇଦିନିଆ ଆଲୋଚନାଚକ୍ର ଗତ ନଭେମ୍ବର ୧୫ ଓ ୧୬ ତାରିଖରେ ଭୁବନେଶ୍ଵରର ‘କଳାଭୂମି’ ପରିସରରେ ଅନୁଷ୍ଠିତ ହୋଇଥିଲା।

‘କେତକୀ ଫାଉଣ୍ଡେସନ ଟ୍ରଷ୍ଟ’ ଓ ‘ସ୍ୱାଭିମାନ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ଆଲୋଚନାଚକ୍ରର ପ୍ରଥମ ଦିନ ‘ଭିନ୍ନକ୍ଷମତା ଓ ଧର୍ମ’ ଓ ଦ୍ଵିତୀୟ ଦିନ ‘ଭିନ୍ନକ୍ଷମତା ଓ ସାହିତ୍ୟ’ ଶୀର୍ଷକରେ ହୋଇଥିବା ଆଲୋଚନାରେ ସମ୍ପୃକ୍ତ କ୍ଷେତ୍ରରେ ରହିଥିବା ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଭାଗ ନେଇଥିଲେ।

ପ୍ରଥମ ଦିନ ହାଇଦ୍ରାବାଦସ୍ଥିତ ଏନଆଇଏମଏଚର ଦିବ୍ୟାଙ୍ଗ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ନିବେଦିତା ପଟ୍ଟନାୟକ, ଖ୍ୟାତନାମା ଦିବ୍ୟାଙ୍ଗ କବି ବିରଜା କୁମାର ରାଉତରାୟ ଓ ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ଓଏଏସ ଅଫିସର ସନ୍ୟାସୀ ବେହେରା ଆଲୋଚନାରେ ଅଂଶଗ୍ରହଣ କରିଥିଲା ବେଳେ ଦ୍ଵିତୀୟ ଦିନ ଆଲୋଚନାରେ ଖ୍ୟାତନାମା ଲେଖକ ପ୍ରଫେସର ଜ୍ୟୋତି ନନ୍ଦ, ଚିତ୍ରଶିଳ୍ପୀ ଓ ଲେଖକ ରମାକାନ୍ତ ସାମନ୍ତରାୟ, ବିଶିଷ୍ଟ କବି ଓ ସାମ୍ବାଦିକ କେଦାର ମିଶ୍ର ତଥା ‘ସ୍ୱାଭିମାନ’ ଅନୁଷ୍ଠାନର ପ୍ରତିଷ୍ଠାତା ଓ ମୁଖ୍ୟ ପରିଚାଳିକା ଡକ୍ଟର ଶ୍ରୁତି ମହାପାତ୍ର ଯୋଗ ଦେଇଥିଲେ। ଏହି ଉଭୟ ଦିନର ସଭା ସଞ୍ଚାଳନା କରିଥିଲେ ବିଶିଷ୍ଟ ଇଂରାଜୀ କବି ରବୀନ୍ଦ୍ର କୁମାର ସ୍ଵାଇଁ।

‘ଭିନ୍ନକ୍ଷମତା ଓ ଧର୍ମ’ ସମ୍ପର୍କରେ ଆଲୋଚନା କରି ସନ୍ୟାସୀ ବେହେରା ପୌରାଣିକ ଆଖ୍ୟାନରୁ କୁବୁଜା ଓ ଅଷ୍ଟବକ୍ର ଋଷିଙ୍କ ସମ୍ପର୍କରେ ଉଲ୍ଲେଖ କରିବା ସହ ସେମାନେ କିଭଳି ସେମାନଙ୍କର ଭିନ୍ନକ୍ଷମତାର ଊର୍ଦ୍ଧ୍ଵକୁ ଯାଇପାରିଥିଲେ ତାହା ବର୍ଣ୍ଣନା କରିଥିଲେ। ଡକ୍ଟର ନିବେଦିତା ପଟ୍ଟନାୟକ ତାଙ୍କର ନିଜସ୍ୱ ଅନୁଭୂତି ଆଧାରରେ ଭିନ୍ନକ୍ଷମମାନଙ୍କୁ କିଭଳି ଅଧିକ କ୍ଷମତାସମ୍ପନ୍ନ କରିହେବ ସେ ଦିଗରେ ସାମୁହିକ ଉଦ୍ୟମର ଆବଶ୍ୟକତାକୁ ସର୍ବାଧିକ ଗୁରୁତ୍ଵ ଦେଇଥିଲେ। ବିରଜା କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମମାନଙ୍କୁ କିଭଳି ଅଧିକ ସକ୍ଷମ କରିହେବ ସେ ଦିଗରେ ଜନସଚେତନତାକୁ ସର୍ବାଧିକ ଗୁରୁତ୍ଵ ଦେଇଥିଲେ।

ସେହିଭଳି ‘ଭିନ୍ନକ୍ଷମତା ଓ ସାହିତ୍ୟ’ ସମ୍ପର୍କରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ସାହିତ୍ୟର ଏକାଧିକ ଭିନ୍ନକ୍ଷମ ଚରିତ୍ର ଉପସ୍ଥାପନ ପୂର୍ବକ ନିଜ ବକ୍ତବ୍ୟ ରଖିଥିଲେ ପ୍ରଫେସର ଜ୍ୟୋତି ନନ୍ଦ। ରମାକାନ୍ତ ସାମନ୍ତରାୟ ବିଖ୍ୟାତ ଚିତ୍ରଶିଳ୍ପୀ ଫ୍ରିଡା କାହଲୋ ଓ ବିଶିଷ୍ଟ ଓଡ଼ିଆ ଚିତ୍ରଶିଳ୍ପୀ ବିପିନ ବିହାରୀ ଚୌଧୁରୀ ସେମାନଙ୍କ ଭିନ୍ନକ୍ଷମ ଅବସ୍ଥା ସତ୍ତ୍ୱେ ସେମାନେ କିଭଳି ସଫଳତା ଅର୍ଜନ କରିଥିଲେ ତାହା ଉଲ୍ଲେଖ କରିଥିଲେ।

ଓଡ଼ିଆ ଲେଖକମାନେ ଭିନ୍ନକ୍ଷମ ଚରିତ୍ରମାନଙ୍କୁ କିପରି ଖଳ ଚରିତ୍ର ରୂପେ ଚିତ୍ରଣ କରିଛନ୍ତି କବି କେଦାର ମିଶ୍ର ତାହାର ନିନ୍ଦା କରିଥିଲେ। ଭିନ୍ନକ୍ଷମମାନେ କିଭଳି ସଫଳତା ଅର୍ଜନ କରି ପାରୁଛନ୍ତି ସେ ସମ୍ପର୍କରେ ଡକ୍ଟର ଶ୍ରୁତି ମହାପାତ୍ର ନିଜ ଅନୁଭୂତି ଆଧାରିତ ଉଦାହରଣ ଦେଇ ଆଗାମୀ ପିଢ଼ିର ଲେଖକମାନେ ସେମାଙ୍କ ଲେଖା ମାଧ୍ୟମରେ ତାହା ପ୍ରକାଶ କରିବା ଦରକାର ବୋଲି କହିଥିଲେ।

ଏଭଳି ଆଲୋଚନା ସମାଜରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ବୋଲି ଉଭୟ ଦିନର ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିବା ବକ୍ତାମାନେ ଆଶା ପ୍ରକାଶ କରିଥିଲେ।

 (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #Disability #SpecialChild #discussion #Religion #Bhubaneswar #Odisha

LEAVE A REPLY

Please enter your comment!
Please enter your name here