ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ। ପ୍ରତିଦିନ ସକାଳ ୬ରୁ ରାତି ୧୦ଟା ମଧ୍ୟରେ ମରାମତି କାମ କରାଯିବ। ବଡ଼ଠାକୁରଙ୍କ କେଉଁ ନୀତି ପରେ କେତେ ସମୟ କାମ ଚାଲିବ ତାହା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

ନାଟମଣ୍ଡପ ମରାମତି ସମୟରେ ଭକ୍ତ ଏବଂ ସେବାୟତଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ। ନୀତିକାନ୍ତିରେ ଯେଭଳି ବ୍ୟାଘାତ ସୃଷ୍ଟି ନହେବ ସେଥିପ୍ରତି ମଧ୍ୟ ବିଶେଷ ଗୁରୁତ୍ଵ ଦିଆଯିବ। ମହାପ୍ରଭୁଙ୍କର ନୀତିକାନ୍ତି ନଥିବା ସମୟରେ ମରାମତି କାମ କରାଯିବ।

ବର୍ତ୍ତମାନ କାର୍ତ୍ତିକ ମାସ ଯୋଗୁଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ଶେଷ ହେଲେ ପୂର୍ଣ୍ଣ ସମୟ ଦେଇ କାଅ କରାଯିବ। ଆସନ୍ତା ପଣା ସଂକ୍ରାନ୍ତି ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

ଗତ ୨୦୧୮ ମସିହାରେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା, ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଥିଲା। ୫ ବର୍ଷ ହେଲା ସେହି ଫାଟ ପୂର୍ବଭଳି ରହିଥିବାରୁ ଏହାକୁ ନେଇ କୋର୍ଟରେ ମାମଲା ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଓ ଉଚ୍ଚସ୍ତରୀୟ କମିଟି ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟ ତର୍ଜମା କରିଥିଲେ। ନିଜେ ହାଇକୋର୍ଟଙ୍କ ଆମିକସକ୍ୟୁରି ଏନ୍ କେ ମହାନ୍ତି ପୁରୀ ଆସି ନାଟମଣ୍ଡପ ସ୍ଥିତି ଖରାପ ଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ପରେ ତୁରନ୍ତ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ।

Tags: #SriMandir #Puri #NataMandapa #Repairing #OdishaHighcourt #ASI

Comment