ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧରେ କଲବଲ ହେଲେଣି ରାଜଧାନୀ ବାସିନ୍ଦା। କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ନୁହେଁ ଭୁବନେଶ୍ଵର ସାରା ଏହି ଗୁର୍ଗନ୍ଧ ଅଣନିଶ୍ଵାସୀ କଲାଣି।

ଭୁବନେଶ୍ୱର ଗାଡ଼କଣ ଡମ୍ପିଂ ୟାର୍ଡ ଦୁର୍ଗନ୍ଧକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା। ଆବର୍ଜନା ଦୁର୍ଗନ୍ଧ ୫ କିଲୋମିଟର ବାହାରକୁ ଯାଉଛି। ସକାଳୁ ରାତି ଯାଏଁ ଦୁର୍ଗନ୍ଧ ଯୋଗୁଁ କଲବଲ ହେଉଛନ୍ତି ଲୋକେ। ଘରର କବାଟ ଝରକା ଖୋଲିବାକୁ ମଧ୍ୟ ଡର ଭୟ କରୁଛନ୍ତି। ଗାଡ଼କଣ ଡମ୍ପିଂ ୟାର୍ଡକୁ ଦୈନିକ ୪୦୦ ଟନରୁ ଅଧିକ ଅଳିଆ ଆବର୍ଜନା ଆସୁଛି।

ଲୋକଙ୍କ ଅଭିଯୋଗ ପରେ ଏଦିଗରେ ପଦକ୍ଷେପ ଗ୍ରହଣ କରିବାର ଭୁବନେଶ୍ଵର ମହାନଗର ନିଗମ (ବିଏମସି) ତତ୍ପରତା ପ୍ରକାଶ କରିଛି। ଅଳିଆ ଉଠାଉଥିବା ଗାଡ଼ିକୁ ଓଦା ସୁଖିଲା ଅଲଗା ଅଲଗା କରି ଅଳିଆ ଦେବାକୁ ରାଜଧାନୀ ବାସିନ୍ଦାଙ୍କୁ ବିଏମସି ପକ୍ଷରୁ କୁହାଯାଇଛି। ଓଦା ସୁଖିଲା ଅଳିଆକୁ ଅଲଗା ଅଲଗା କରିନଦେଲେ ବିଏମସି ଗାଡ଼ି ଅଳିଆ ନେବ ନାହିଁ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ରାଜଧାନୀ ବାସିନ୍ଦାଙ୍କୁ ଏହି ଦୁର୍ଗନ୍ଧରୁ ମୁକ୍ତି ଦେବାଲାଗି ଭୁବନେଶ୍ୱର ଉପକଣ୍ଠରେ ୪ଟି ବାୟୋ ମିଥେନ ଗ୍ୟାସ୍‌ ପ୍ଲାଣ୍ଟ ନିର୍ମାଣ କରିବାକୁ ଯୋଜନା କରିଛି ବିଏମସି। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ଏହି କାମ ହେବାକୁ ଯୋଜନା ରହିଛି।

ଭୁବନେଶ୍ଵରରୁ ଦୈନିକ ପ୍ରାୟ ୩୦୦ ଟନ ଓଦା ଅଳିଆ ବାହାରୁଛି। ବାୟୋ ମିଥେନ ପ୍ଲାଣ୍ଟରେ ଓଦା ଅଳିଆ ବ୍ୟବହାର କରାଯିବ। ଏଥିରେ ୨୦୦ ଟନ ଅଳିଆର ପ୍ରକ୍ରିୟାକରଣ କରାଯିବ। ବାକି ଅଳିଆକୁ ଏମ୍‌ସିସି ଏବଂ ଏମଆରଏଫରେ ପ୍ରକ୍ରିୟାକରଣ କରାଯାଇ ଖତ ପ୍ରସ୍ତୁତ କରାଯିବ। ପ୍ଲାଣ୍ଟରୁ ନିର୍ଗତ ମିଥେନ ଗ୍ୟାସକୁ ସିଏନ୍‌ଜି ଭାବେ ବିକ୍ରି କରିବାକୁ ବିଏମ୍‌ସିର ଯୋଜନା ରହିଥିବା କହିଛନ୍ତି ମେୟର ସୁଲୋଚନା ଦାସ। ଆସନ୍ତା ୨ ମାସ ମଧ୍ୟରେ ସବୁ ଅଳିଆ ଖାଲି ହୋଇଯିବ ବୋଲି ସେ କହିଛନ୍ତି।

Tags: #bhubaneswar #Garbagehill #BMC #wastemanagement #Dumping yard

Comment