ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶାଳ ମେଳାରେ ଅନ୍ୟତମ ଆକର୍ଷଣ ହେଉଛି ‘ଓଡ଼ିଶା ପାଭିଲିୟନ’। ଓଡ଼ିଶା ପାଭିଲିୟନରେ ଓଡ଼ିଶାର କଳା, ସଂସ୍କୃତି, ଆଦିବାସୀ ଜୀବନ, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି।

ପ୍ରଗତି ମଇଦାନର ହଲ୍ ନମ୍ବର-୨ରେ ସ୍ଥାନ ପାଇଛି ‘ଓଡ଼ିଶା ପାଭିଲିୟନ’। ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ ପାଭିଲିୟନର ଶୋଭା ବଢ଼ାଉଛି।

ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍‌’ ବା ‘ବାଣିଜ୍ୟ ମାଧ୍ୟମରେ ଏକତା’। ଏହି ଥିମ୍ ଓଡ଼ିଶା ପାଭିଲିୟନରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି। ପାଭିଲିୟନର ମଧ୍ୟଭାଗରେ ସୁସଜ୍ଜିତ ବୋଇତ ଉପରେ ପାରମ୍ପରିକ ହସ୍ତତନ୍ତ ଓ ହସ୍ତକଳାର ପ୍ରଦର୍ଶନ, ବିକ୍ରି ଓ ଲାଇଭ୍ ଡେମନଷ୍ଟ୍ରେସନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇପାରିଛି।

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ୭ଟି ବିଭାଗ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥା ଅଧୀନରେ ମୋଟ ୨୪ଟି ଷ୍ଟଲ୍ ସ୍ଥାନ ପାଇଛି। ଏହା ମଧ୍ୟରେ ରହିଛି ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ସାଜସଜ୍ଜା ଓ ଖାଦ୍ୟପଦାର୍ଥ ଏବଂ ମିଲେଟ୍‌ସ ମିଶନ ଅଧୀନରେ ଓଡ଼ିଶାର ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଇତ୍ୟାଦି।

ସେହିପରି ଓଡ଼ିଶାର ଆଦିବାସୀ ଜୀବନ, କଳା ଓ ସଂସ୍କୃତି ସହିତ ଏମ୍‌ଏସ୍‌ଏମ୍‌ଇ ଏବଂ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ ଓଡ଼ିଶା ପାଭିଲିୟନକୁ ସମୃଦ୍ଧ କରିଛି।

ରାଜ୍ୟର କଳା, ସଂସ୍କୃତି ଓ ବିଭିନ୍ନ ଉତ୍ପାଦ ସହିତ ହସ୍ତତନ୍ତ ଓ ହସ୍ତକଳା ତଥା ଆଦିବାସୀ କଳାର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରୁଛି। ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ପାଭିଲିୟନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଅନ୍ୟତମ ଆକର୍ଷଣ ହୋଇଛି।

ଏଥର ଓଡ଼ିଶା ପାଭିଲିୟନର ଏକ ଅଭିନବ ବିଷୟ ହୋଇଛି ‘କରୁଣା ସିଲ୍କ’। ଅହିଂସା ଉପାୟରେ ପ୍ରସ୍ତୁତ ଏହି ପାରମ୍ପରିକ ସିଲ୍କରୁ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରସ୍ତୁତ କରାଯାଉଛି। ମେଳା ପରିସରରେ ବସି ଓଡ଼ିଶାର ପାରମ୍ପରିକ ବୁଣାକାର କବି ଜୟଦେବଙ୍କ ସୁଲଳିତ ଗୀତଗୋବିନ୍ଦର ପଂକ୍ତି ସହିତ ଏହି ପାଟ ପ୍ରସ୍ତୁତ କରୁଛନ୍ତି।

ରେଶମ କୀଟକୁ ନମାରି ଅଭିନବ ଉପାୟରେ ଏହାର ଖୋସାରୁ ସୂତା ବାହାର କରାଯାଉଥିବାରୁ ଏହାର ନାଁ ଦିଆଯାଇଛି ‘କରୁଣା ସିଲ୍କ’, ଯାହାକି ଓଡ଼ିଶା ପାଭିଲିୟନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଏକ ନୂଆ ଜିଜ୍ଞାସା ସୃଷ୍ଟି କରିଛି।

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ପରିସରରେ ନଭେମ୍ବର ୧୯ ତାରିଖ, ରବିବାର ଦିନ ଓଡ଼ିଶା ରାଜ୍ୟ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ତଥା ଅତିଥିମାନେ ଯୋଗ ଦେଇଥିଲେ।

ପ୍ରଗତି ମଇଦାନର ଏକ ନମ୍ବର ଆମ୍ଫିଥିଏଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ ଏବଂ ସଙ୍ଗୀତକୁ ନେଇ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆଙ୍କ ସହିତ ବହୁ ସ୍ଥାନୀୟ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଛନ୍ତି।

Tags: #IndiaInternationalTradeFair 2023 #Odishapavilion #CultureandTraditionofOdisha #NewDelhi

Comment