ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏଥିରେ ଦୁଇଟି ଏକ୍ସପ୍ରେସ ଏବଂ ଗୋଟିଏ ମେମୁ ଟ୍ରେନ ରହିଛି।

ବାଦାମପାହାଡ଼ ଟାଟା ନଗର ମେମୁ ଟ୍ରେନ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼ ସାଲିମାର ସାପ୍ତାହିକ ଏକ୍ସପ୍ରେସକୁ ସୁବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ଟ୍ରେନ ଶୁଭାରମ୍ଭ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଗସ୍ତ କରିଥିଲେ। ଆଜି ରାଷ୍ଟ୍ରପତି ମା’ ସମଲେଶ୍ଵରୀଙ୍କ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ ଏବଂ ଆଳତୀ କରିବାର କାର୍ଯ୍ୟକ୍ରମ ରହିଛି।

ମଙ୍ଗଳବାର ସକାଳେ ରାଷ୍ଟ୍ରପତି ପାହାଡ଼ପୁରରେ ପହଞ୍ଚି ମୁର୍ମୁ ଛକଠାରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସ୍ୱାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ ରାଷ୍ଟ୍ରପତି। ଏହାପରେ ଏଲ୍ଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଥିଲେ। ସେଠାରୁ ପାହାଡ଼ପୁରରେ ନିଜେ ଗଢ଼ିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ହେଉଛି ଦ୍ଵିତୀୟ ଦିନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ବାରିପଦାଠାରେ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେବା ସହ କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଥିଲେ।  

Tags: #PresidentofIndia #DroupadiMurmu #DroupadiMurmuFlaggedoffthreenewTrains #BadampaharRailwayStation #Mayurbhanj #OdishaVisit

Comment