ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥି ତଥା ଅଁଳା ନବମୀ। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତ ଦେବୀ ଶ୍ରୀରାଧାପାଦଙ୍କ ଦର୍ଶନ କରୁଛନ୍ତି। ବର୍ଷକରେ କେବଳ ଏହି ଗୋଟିଏ ଦିନ ଭକ୍ତ ଶ୍ରୀରାଧାରାଣୀଙ୍କର ପାଦ ଦର୍ଶନର ଦୁର୍ଲଭ ସୁଯୋଗ ପାଇଥାନ୍ତି।

ଅଁଳା ନବମୀର ମହାତ୍ମ୍ୟ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି। ଲୋକକଥା ଅନୁଯାୟୀ ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରା ଯାଇଥିଲେ। ଏହି ଦିନ ସେ ପିଲାଦିନର ଖେଳକୁଦ ଛାଡ଼ି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଅଁଳା ନବମୀ ଦିନ ସର୍ବପ୍ରଥମେ ମା’ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଏହା ପଛରେ ଏକ ବିଶେଷ କାରଣ କହିଛି।

ପୌରାଣିକ କଥା ଅନୁସାରେ ଥରେ ମା’ ଲକ୍ଷ୍ମୀ ପୃଥିବୀକୁ ଭ୍ରମଣ କରିବାକୁ ଆସିଥିଲେ। ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଏବଂ ଭଗବାନ ଶିବଙ୍କ ପୂଜା ଏକା ସାଙ୍ଗରେ କରିବାକୁ ଇଚ୍ଛା କଲେ। ସେତେବେଳେ ତାଙ୍କୁ ସ୍ମରଣ ହେଲା ଯେ ତୁଳସୀ ବିଷ୍ଣୁଙ୍କର ପ୍ରିୟ କିନ୍ତୁ ଶିବଙ୍କର ନୁହେଁ। ଶିବଙ୍କ ପୂଜାରେ ତୁଳସୀ ଲାଗେନାହିଁ। କିନ୍ତୁ ଶିବଙ୍କ ସ୍ଵରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି।

ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି। ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ଵରୂପ ଭାବି ପୂଜା କଲେ। ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ପାଳନ କର୍ତ୍ତା ଓ ସଂହାର କର୍ତ୍ତା ଏକାଠି ମାତାଙ୍କୁ ଦର୍ଶନ ଦେଲେ। ତତପଶ୍ଚାତ ମାତା ସେହି ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କରି ଭଗବାନ ବିଷ୍ଣୁ ଏବଂ ଶିବଙ୍କୁ ଅର୍ପଣ କଲେ। ସେହି ଦିବ୍ୟ ଦିବସଟି ସବୁଦିନ ପାଇଁ ଅଁଳା ନବମୀ ନାମରେ ବିଦିତ ହେଲା।

କଥିତ ଅଛି ଯେ, ଅଁଳା ନବମୀ ତିଥିରେ ଅଁଳା ବୃକ୍ଷକୁ ପୂଜା କରି ତା’ରି ମୂଳରେ ଭୋଜନ ପ୍ରସ୍ତୁତ କରି ବିଷ୍ଣୁ ଓ ଶିବଙ୍କୁ ଭୋଗ ଲଗାଇଲେ ସମଗ୍ର କାର୍ତ୍ତିକ ମାସର ପୂଣ୍ୟ ଗୋଟିଏ ଦିନରେ ପ୍ରାପ୍ତ ହୋଇଥାଏ। ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଏକ ମହାନ ଉତ୍ସବ ଅଟେ। ଏହି ଅବସରରେ ପୁରୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଯାତ୍ରା ଆୟୋଜନ ହୋଇଥାଏ। ବର୍ଷସାରା ଶିଢ଼ି ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କ ପାଦପଦ୍ମ ଦ୍ଵୟକୁ ବର୍ଷକରେ ଥରେ ଅଁଳା ନବମୀ ଦିନ ଦର୍ଶନ କରନ୍ତି।

 Tags: #AnlaNabami #RadhaPadaDarsan #Puri #Sakhigopal #LordBishnu #LordShiv #MaaLaxmi

Comment