ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସର୍ବଦଳୀୟ ବୈଠକ ପରେ ବି ଚାଲିପାରୁନି ଗୃହକାର୍ଯ୍ୟ।

ବୁଧବାର ଦିନ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଂଗକୁ ନେଇ ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ବିଧାୟକମାନେ ହୋ ହାଲ୍ଲା କରିଥିଲେ। ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଯୋଜନା କରାଯାଉଥିବା କହି ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିଲା।

ପରେ ଗୃହର ସ୍ଥିତି ଦେଖି ଆଉ ୪୫ ମିନିଟ ଗୃହକୁ ମୁଲତବୀ ଘୋଷଣା କରିବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସର୍ବଦଳୀୟ ବୈଠକ ପରେ ମଧ୍ୟ ଗୃହରେ ହଙ୍ଗମା ଲାଗି ରହିଥିବାରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ପୁଣି ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଚାଲିପାରି ନଥିଲା। ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

Tags: #Politics #OdishaPolitics #OdishaAssemblyWinterSession #AssemblyHouseAdjourned #Odisha

Comment