ସବୁ କିଛି ଠିକ୍ ଠାକ୍ ଥିଲା, କିନ୍ତୁ ‘ଷ୍ଟ୍ରୋକ୍’ ହଠାତ୍ ଝଡ଼ ଭଳି ଆସି ବଦଳେଇ ଦେଲା ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ।

‘ଷ୍ଟ୍ରୋକ୍‌’ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଚାହୁଁଚାହୁଁ ଗୋଟିଏ ହସଖୁସିର ସଂସାରକୁ ଛାରଖାର କରିଦିଏ। ଷ୍ଟ୍ରୋକ ଯୋଗୁଁ କିଏ ପ୍ରାଣ ହରାଏ ତ ଆଉ କିଏ ଶାରୀରିକ ଭାବେ ଅକ୍ଷମ ହୋଇଯାଏ। ଷ୍ଟ୍ରୋକ୍‌ ପର ଜୀବନ ଆଉ ପୂର୍ବଭଳି ହୋଇରହେ ନାହିଁ। ଷ୍ଟ୍ରୋକର ଶିକାର ହେବାପରେ ଭୁବନେଶ୍ଵରର ସୁମିତ କୁମାର ଠାକୁରଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି।

ସୁମିତ କୁମାର ଠାକୁର ପେସାରେ ଜଣେ ଆଇଟି ପ୍ରଫେସନାଲ। ବୟସ ପ୍ରାୟ ୪୨ ବର୍ଷ ହେବ। ବେଶ୍ ହସଖୁସିରେ ଚାଲିଥିଲା ସୁମିତଙ୍କ ସଂସାର। ୨୦୨୦ ମସିହାରେ ହଠାତ ତାଙ୍କ ଜୀବନରେ ମାଡ଼ି ଆସିଥିଲା କଳା ବାଦଲ। ଘର ଆଗରେ ବସିଥିବା ବେଳେ ଷ୍ଟ୍ରୋକ୍‌ର ଶିକାର ହୋଇଥିଲେ ସୁମିତ। ହଠାତ୍ ତାଙ୍କୁ କିଛି ଜଣାପଡ଼ିଲା ନାହିଁ। ସ୍ତ୍ରୀଙ୍କୁ ଡାକିବାକୁ ଚେଷ୍ଟା କରୁଥାନ୍ତି, କିନ୍ତୁ ପାଟି ଖୋଲି ପାରୁନଥାନ୍ତି। ବହୁ କଷ୍ଟରେ ସ୍ତ୍ରୀଙ୍କୁ ପାଖକୁ ଡାକିବାକୁ ଇଙ୍ଗିତ କଲେ। ତାଙ୍କ ସ୍ତ୍ରୀ ମଧ୍ୟ କିଛି ବୁଝି ପାରୁନଥାନ୍ତି। ସେ ସୁମିତଙ୍କ ପାଖକୁ ଧାଇଁ ଆସିଲା ବେଳକୁ ସୁମିତଙ୍କ ସ୍ଵାସ୍ଥ୍ୟାବସ୍ଥା ଢେର ବିଗିଡ଼ି ଯାଇଥିଲା।

ସୁମିତ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ସନ୍ଦେହ କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଆଇସିୟୁ ବେଡରେ କିଛିମାସ ଚିକିତ୍ସା ପରେ ଟିକିଏ ସୁସ୍ଥ ହୋଇଥିଲେ ସୁମିତ ଠାକୁର। ତାଙ୍କର ଡାହାଣ ଗୋଡ଼, ହାତ ଏବଂ ମୁହଁ ଷ୍ଟ୍ରୋକ୍‌ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିଲା। ବହୁତ ଜୋରରେ ହାତପାଦ ଫୁଲି ଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସୁମିତ ଘରକୁ ଆସିଥିଲେ। ନିୟମିତ ଔଷଧ ଖାଇବା ସହ ଫିଜିଓଥେରାପି ମଧ୍ୟ କରୁଥିଲେ। ଧୀରେ ଧୀରେ ସୁମିତ ସୁସ୍ଥ ହେଉଛନ୍ତି। କିନ୍ତୁ ଆଗଭଳି ସେ ଆଉ କାମ କରିପାରୁନାହାନ୍ତି କିମ୍ବା ଠିକ୍ ଭାବେ କଥା ମଧ୍ୟ ହୋଇପାରୁ ନାହାନ୍ତି।

ସୁମିତ କୁହନ୍ତି ତାଙ୍କର ଉଚ୍ଚ ରକ୍ତଚାପ କିମ୍ବା ଡାଇବେଟିସ୍ ନଥିଲା। ସେ ସୁସ୍ଥ ଜୀବନ ବଞ୍ଚୁଥିଲେ। ଷ୍ଟ୍ରୋକ୍ ପରେ ସେ ଅନେକ କଥା ଭୁଲି ଯାଇଛନ୍ତି। କାହା କାହା ଚେହେରା ମଧ୍ୟ ତାଙ୍କର ମନେ ନାହିଁ। ଆଗ କଥାକୁ ମନେ ପକାଇବାକୁ ଚେଷ୍ଟା କରୁଛନ୍ତି। ସୁମିତ କୁହନ୍ତି ଷ୍ଟ୍ରୋକ୍ ଯୋଗୁଁ ତାଙ୍କ ଜୀବନରେ ବହୁତ କିଛି ବଦଳି ଯାଇଛି। ଷ୍ଟ୍ରୋକ୍ ଯୋଗୁଁ ତାଙ୍କ ମେମୋରିରୁ ଜୀବନର ସୁଖ ମୁହୂର୍ତ୍ତ ସହ ଦୁଃଖର ସମୟଗୁଡ଼ିକ ମଧ୍ୟ ଲିଭିଯାଇଛି।

ଠିକ୍ ସମୟରେ ସୁମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାରୁ ନିଶ୍ଚିତ ଭାବେ ଏକ ବଡ଼ ଅଘଟଣରୁ ସେ ମୁକୁଳି ପାରିଲେ ବୋଲି ଡାକ୍ତର କୁହନ୍ତି।

ଷ୍ଟ୍ରୋକ୍ ହେବାର ୪ରୁ ସାଢ଼େ ୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଷ୍ଟ୍ରୋକ୍ ଚିକିତ୍ସା ଉପଲବ୍ଧ ଥିବା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ଦ୍ଵାରା ରୋଗୀ ନିଶ୍ଚିତ ଭାବେ ଏକ ବଡ଼ ଅଘଟଣରୁ ବର୍ତ୍ତୀ ପାରିବେ ବୋଲି ବିଶେଷଜ୍ଞ କୁହନ୍ତି। ଏହାକୁ ଗୋଲ୍ଡେନ ଆଓ୍ଵାର ବୋଲି କୁହାଯାଏ। ରୋଗୀଙ୍କର ସିଟିସ୍କାନ୍ ବା ଏମଆରଆଇ କରାଗଲେ ଏହା ଷ୍ଟ୍ରୋକ୍ କି ନୁହେଁ ସେ ବିଷୟରେ ସ୍ପଷ୍ଟ ହୋଇଥାଏ। ଯଦି ଜଣେ ରୋଗୀର ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ, ତେବେ ଏହି ପରୀକ୍ଷା ଫଳରେ ଷ୍ଟ୍ରୋକର ପ୍ରଭାବ କେତେ ବେଶି ତାହା ମଧ୍ୟ ଜଣାପଡ଼ିଥାଏ। ସେହି ଅନୁଯାୟୀ ରୋଗୀଙ୍କର ଚିକିତ୍ସା କରାଯାଏ। 

Tags:#PostStrokeManagement #SumitKumarThakur #Stroke #physiotherapy #Brainstroke #Doctorsadvice #odiahealthtips #treatment

Comment