ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’ରେ ‘ଓଡ଼ିଶା ପାଭିଲିୟିନକୁ ମିଳିଛି ସ୍ଵର୍ଣ୍ଣ ପଦକ। ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ‘ଓଡ଼ିଶା ପାଭିଲିୟନ’କୁ ଏହି ପୁରସ୍କାର ମିଳିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏହି ପୁରସ୍କାର ଗ୍ରହଣ କରିଥିଲେ।

ପୁରସ୍କାର ଗ୍ରହଣ କରିବା ଅବସରରେ ସରୋଜ କୁମାର ସାମଲ କହିଥିଲେ, “କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପୁରସ୍କୃତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହା ରାଜ୍ୟର ବାଣିଜ୍ୟ ପ୍ରୋତ୍ସାହନ ନୀତି, ଶିଳ୍ପର ବିକାଶ ଏବଂ କୃଷି ଓ ହସ୍ତଶିଳ୍ପ ସହ ଆମ ସାଂସ୍କୃତିକ ପରମ୍ପରାର ଉତ୍କୃଷ୍ଟ ପ୍ରତିଫଳନ।”

ପୁରସ୍କାର ଗ୍ରହଣ ସମୟରେ ଓଡ଼ିଶା ପାଭିଲିୟନର ନିର୍ଦ୍ଦେଶକ ସୂର୍ଯ୍ୟରଞ୍ଜନ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’ ନଭେମ୍ବର ୨୭ ତାରିଖ ଶେଷ ହୋଇଛି। ଶେଷ ଦିନରେ ଓଡ଼ିଶାକୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର।

ଏହି ବିଶାଳ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ‘ଓଡ଼ିଶା ପାଭିଲିୟନ’ରେ ଓଡ଼ିଶାର କଳା, ସଂସ୍କୃତି, ଆଦିବାସୀ ଜୀବନ, କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହୋଇଥିଲା।

ପ୍ରଗତି ମଇଦାନର ହଲ୍ ନମ୍ବର-୨ରେ ସ୍ଥାନ ପାଇଥିବା ‘ଓଡ଼ିଶା ପାଭିଲିୟନ’ରେ ପ୍ରାଚୀନ ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ବୋଇତ ଏବଂ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ୍ର ଦେଶ ବିଦେଶରୁ ଆସିଥିବା ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।  

ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍ – ୟୁନାଇଟେଡ୍ ବାଇ ଟ୍ରେଡ୍‌’ ବା ‘ବାଣିଜ୍ୟ ମାଧ୍ୟମରେ ଏକତା’। ଏହି ଥିମ୍ ଓଡ଼ିଶା ପାଭିଲିୟନରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଥିଲା। ପାଭିଲିୟନର ମଧ୍ୟଭାଗରେ ସୁସଜ୍ଜିତ ବୋଇତ ଉପରେ ପାରମ୍ପରିକ ହସ୍ତତନ୍ତ ଓ ହସ୍ତକଳାର ପ୍ରଦର୍ଶନ, ବିକ୍ରି ଓ ଲାଇଭ୍ ଡେମନଷ୍ଟ୍ରେସନ୍ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଥିଲା।  

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପ୍ରସ୍ତୁତ ଓଡ଼ିଶା ପାଭିଲିୟନରେ ଚଳିତ ବର୍ଷ ୭ଟି ବିଭାଗ ଏବଂ ବିଭିନ୍ନ ସହଯୋଗୀ ସଂସ୍ଥା ଅଧୀନରେ ମୋଟ ୨୪ଟି ଷ୍ଟଲ୍ ସ୍ଥାନ ପାଇଥିଲା। ଏହା ମଧ୍ୟରେ ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତକଳା ସାମଗ୍ରୀ, ଓରମାସ୍ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ମିଶନ ଶକ୍ତି ମା’ଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା, ସାଜସଜ୍ଜା ଓ ଖାଦ୍ୟପଦାର୍ଥ ଏବଂ ମିଲେଟ୍‌ସ ମିଶନ ଅଧୀନରେ ଓଡ଼ିଶାର ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଇତ୍ୟାଦି ରହିଥିଲା। ଓଡ଼ିଶାର ଆଦିବାସୀ ଜୀବନ, କଳା ଓ ସଂସ୍କୃତି ସହିତ ଏମ୍‌ଏସ୍‌ଏମ୍‌ଇ ଏବଂ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ ଓଡ଼ିଶା ପାଭିଲିୟନକୁ ସମୃଦ୍ଧ କରିଥିଲା।  

ରାଜ୍ୟର କଳା, ସଂସ୍କୃତି ଓ ବିଭିନ୍ନ ଉତ୍ପାଦ ସହିତ ହସ୍ତତନ୍ତ ଓ ହସ୍ତକଳା ତଥା ଆଦିବାସୀ କଳାର ଲାଇଭ୍ ଡେମନଷ୍ଟ୍ରେସନ୍ ନୂଆଦିଲ୍ଲୀ ବାଣିଜ୍ୟ ମେଳାରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରମାଣିତ କରିବା ସହ ଓଡ଼ିଶାର ସ୍ୱତନ୍ତ୍ର ଖାଦ୍ୟରୁଚି ପାଭିଲିୟନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଅନ୍ୟତମ ଆକର୍ଷଣ ପାଲିଟିଥିଲା। ଏଥର ଓଡ଼ିଶା ପାଭିଲିୟନର ଅନ୍ୟତମ ଆକର୍ଷଣ ଥିଲା ଅହିଂସା ଉପାୟରେ ପ୍ରସ୍ତୁତ ହେଉଥିବା ‘କରୁଣା ସିଲ୍କ’।

Tags: #IndiaInternationalTradeFair2023 #Odishapavilion #GoldMedal #CultureandTraditionofOdisha #NewDelhi

LEAVE A REPLY

Please enter your comment!
Please enter your name here