ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ସାମିଲ ହେଲେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ସେ ନବୀନ ନିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

ସୋମବାର ନବୀନ ନିବସରେ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଭି.କେ ପାଣ୍ଡିଆନଙ୍କ ଦଳରେ ସାମିଲ ହେବାକୁ ନେଇ ଏଠାରେ ଆଲୋଚନା କରାଯାଇଥିଲା। ଏହାପରେ ଭି.କେ ପାଣ୍ଡିଆନ୍ ଦଳରେ ଯୋଗ ଦେଇଥିଲେ।

ଗତ ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ ଭି.କେ ପାଣ୍ଡିଆନ। ଏହାପରେ ତାଙ୍କୁ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ଵ ମିଳିଥିଲା।

ବିଜେଡିରେ ସାମିଲ ହେବାପରେ ଭି.କେ ପାଣ୍ଡିଆନ ଦଳର ମୁଖ୍ୟ କାର୍ଯ୍ୟଳୟ ‘ଶଙ୍ଖ ଭବନ’କୁ ଯାଇଥିଲେ। ସେଠାରେ ସେ ଦଳର ଅନ୍ୟ ନେତାମାନଙ୍କ ସହ ସାକ୍ଷାତ କରିଛନ୍ତି।  

ତେବେ ୨୦୨୪ରେ ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭା ନିର୍ବାଚନ ରହିଛି। ଏଭଳି ସ୍ଥିତିରେ ଭି.କେ ପାଣ୍ଡିଆନଙ୍କୁ ଦଳର କେଉଁ ପଦ ମିଳିବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Tags: #VKPandian #BJD #5t #OdishaPolitics #Odisha

Comment