ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହୋଇଛି। ମଙ୍ଗଳବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର (ଏଏସଆଇ) ୧୫ ଜଣିଆ ଟିମ୍‌ ଲେଜର ସ୍କାନିଂ ଆରମ୍ଭ କରିଛନ୍ତି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍‌ ସାମିଲ ଅଛନ୍ତି।

ପ୍ରଥମେ ରତ୍ନଭଣ୍ଡାରର ବାହାର କାନ୍ଥର ଲେଜର୍‌ ସ୍କାନିଂ ହେବ। କାନ୍ଥରେ କେଉଁ ସ୍ଥାନରେ ଫାଟ ଓ ଅନ୍ୟାନ୍ୟ ସମସ୍ୟା ରହିଛି ତାହା ଚିହ୍ନଟ କରି ରିପୋର୍ଟ ଦେବାକୁ ଏଏସଆଇକୁ କୁହାଯାଇଛି। ଏହା ମାଧ୍ୟମରେ ରତ୍ନଭଣ୍ଡାରର ସ୍ଥିତି ଓ ନିରାପତ୍ତାକୁ ଯାଞ୍ଚ କରାଯିବ।

ସେହିପରି ଆବଶ୍ୟକ ପଡ଼ିଲେ ରତ୍ନଭଣ୍ଡାର ଭିତରପାର୍ଶ୍ଵ କାନ୍ଥର ଲେଜର୍‌ ସ୍କାନିଂ ହେବ। ଏଥିସହ ଶ୍ରୀମନ୍ଦିର ପାର୍ଶ୍ଵ ଦେବବେଦୀ ମନ୍ଦିର କାନ୍ଥର ବି ଲେଜର୍‌ ସ୍କାନିଂ କରାଯିବ।

ଶ୍ରୀମନ୍ଦିର ବୈଷୟିକ କମିଟି ରତ୍ନଭଣ୍ଡାର ଲେଜର୍‌ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରୁଛି। ତେବେ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା କେତେଦିନ ଚାଲିବ, ତାହା ଜଣାପଡ଼ିନାହିଁ।

ଲେଜର ସ୍କାନିଂ ପାଇଁ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ତେବେ କାର୍ତ୍ତିକ ମାସରେ ଭକ୍ତଙ୍କର ପ୍ରବଳ ଭିଡ଼କୁ ଯୋଗୁଁ ମଙ୍ଗଳବାରଠାରୁ ଲେଜର ସ୍କାନିଂ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Tags: #SriMandir #RatnaBhandar #LaserScanning #ASI #SJTA #Puri

Comment