ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କାମ ଶେଷ ହୋଇଛି। ମଙ୍ଗଳବାର ଦିନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) ର ୧୫ ଜଣିଆ ଟିମ୍‌ ଲେଜର ସ୍କାନିଂ ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ସାମିଲ ହୋଇଥିଲେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍‌।

ପ୍ରଥମେ ରତ୍ନଭଣ୍ଡାରର ବାହାର କାନ୍ଥର ଲେଜର୍‌ ସ୍କାନିଂ କରାଯାଇଥିଲା। ଏହା ପରେ କାନ୍ଥର କେଉଁ ସ୍ଥାନରେ ଫାଟ କିମ୍ବା ଅନ୍ୟାନ୍ୟ ସମସ୍ୟା ରହିଛି ତାହା ଚିହ୍ନଟ କରାଯାଇଥିଲା। ସ୍କାନିଂ ପରେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛି ଏଏସଆଇ। ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏହା ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

ତିନିଦିନରେ ରତ୍ନଭଣ୍ଡାରର ଲେଜର ସ୍କାନିଂ କାମ ଶେଷ ହୋଇଥିବାବେଳେ ଗୁରୁବାରଠାରୁ ଆରମ୍ଭ ହୋଇଛି ନାଟ ମଣ୍ଡପ ମରାମତି କାମ। ଆଇଆଇଟି ମାଡ୍ରାସ ବିଶେଷଜ୍ଞ ଦଳ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ଶ୍ରୀମନ୍ଦିର ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ମରାମତି କରାଯିବ। ଏହି ସମୟରେ ଯେପରି ନୀତିକାନ୍ତିରେ ବାଧା ସୃଷ୍ଟି ନହେବ ସେ ନେଇ ଏଏସଆଇ କର୍ତ୍ତୃପକ୍ଷ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି।

Tags: #ShreeMandir #RatnaBhandar #NataMandapa #LaserScanning #ASI #SJTA #Puri

Comment