ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ଚାଲିବ। କିନ୍ତୁ ମାଓବାଦୀ ଅଧ୍ୟୁଷିତ ୧୩ଟି ଆସନରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହେବ।

ତେଲେଙ୍ଗାନାର ମୋଟ ୧୧୯ଟି ଆସନ ପାଇଁ ୩୫, ୬୫୫ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ତେଲେଙ୍ଗାନାର ୩ କୋଟି ୨୬ ଲକ୍ଷ ଭୋଟର। ୧୧୯ ଆସନ ପାଇଁ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି ୨,୨୯୦ ଜଣ ପ୍ରାର୍ଥୀ। ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ଅଢ଼େଇ ଲକ୍ଷ କର୍ମଚାରୀ।

ତେଲେଙ୍ଗାନା ନିର୍ବାଚନରେ ମତ ସାବ୍ୟସ୍ତ କରିଛନ୍ତି ସେଲିବ୍ରିଟି। ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିଜର ସୁପରଷ୍ଟାର ଜୁନିୟର ଏନ୍‌ଟିଆର ନିଜ ପତ୍ନୀ ଏବଂ ମା’ଙ୍କ ସହ ଭୋଟ ଦେଇଥିବାବେଳେ ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ ମଧ୍ୟ ମତ ସାବ୍ୟସ୍ତ କରିଛନ୍ତି।

ଏଥର ନିର୍ବାଚନରେ କଂଗ୍ରେସ, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵିତା ହେଉଛି ବିଆରଏସ ଏବଂ କଂଗ୍ରେସ ମଧ୍ୟରେ। ଶାସକ ଦଳ ବିଆରଏସ ସମସ୍ତ ୧୧୯ଟି ଆସନରେ ନିଜ ପ୍ରାର୍ଥୀ ଦେଇଛି। ବିଆରଏସ ଦୁଇ ଦୁଇ ଥର ଶାସକ ଦଳ ରହିଥିବାବେଳେ ଏବେ ସମସ୍ତଙ୍କ ନଜର କାହା ହାତକୁ ଯିବ ତେଲେଙ୍ଗାନା ରାଜ୍ୟର ଶାସନ ଭାର।

ତେଲେଙ୍ଗାନାରେ ୧୯ଟି ବିଧାନସଭା ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବାବେଳେ ୧୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି।

ଚଳିତ ଥର ବିଆରଏସ ଦଳର ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ କୋମାରେଡ୍ଡୀ ଓ ଗଜୱାଲ ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବେଳେ ତେଲେଙ୍ଗାନା କଂଗ୍ରେସ ଦଳର ମୁଖ୍ୟ ରେବନ୍ତ ରେଡ୍ଡୀ କୋମାରେଡ୍ଡୀ ଓ କଣ୍ଡଳଗଡ଼ ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି। କୋମାରେଡ୍ଡୀ ନିର୍ବାଚନ ମଣ୍ଡଳୀ କିଏ ହାତେଇବା ତା’ ଉପରେ ସମସ୍ତଙ୍କ ନଜର। ଆସନ୍ତା ଡିସେମ୍ବର ୩ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ।

Tags: #Politics #TelanganaPolitics #TelanganaAssemblyElection2023 #Voting #vote

Comment