ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ହମାସ ମଧ୍ୟରେ ୭ ଦିନର ଯୁଦ୍ଧବିରତି ଶେଷ ହେବାପରେ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଶୁକ୍ରବାର ଯୁଦ୍ଧବିରତି ଶେଷ ହେବାର ପ୍ରଥମ ୯୦ ମିନିଟ ମଧ୍ୟରେ ଇସ୍ରାଏଲ ଗାଜାରେ ଘନ ଘନ ବୋମା ମାଡ଼ କରିଛି। ଏଥିରେ ଶତାଧିକ ପଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ ଯୁଦ୍ଧବିରତି ଶେଷ ପରେ ହମାସ ପ୍ରଥମେ ଆକ୍ରମଣ କରିଥିବା ଇସ୍ରାଏଲ ସରକାର ଅଭିଯୋଗ କରିଛନ୍ତି। ଇସ୍ରାଏଲ ନିଜର ବନ୍ଦୀ ନାଗରିକମାନଙ୍କୁ ମୁକ୍ତ କରିବା ଏବଂ ହମାସକୁ ନିପାତ କରିବା ଲକ୍ଷ୍ୟରେ ଯୁଦ୍ଧ ଲଢ଼ୁଥିବା ଦେଶର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଇସ୍ରାଏଲ ବାୟୁସେନାର ବିମାନଗୁଡ଼ିକ ହମାସର ଆଡ୍ଡା ଧ୍ୱଂସ କରୁଥିବାବେଳେ ସ୍ଥଳସେନା ଗାଜାରେ ନିଜର ଗ୍ରାଉଣ୍ଡ ଅପରେସନ ପୁଣି ଆରମ୍ଭ କରିଛି। ଏହାସହ ସେମାନେ ଅନ୍ୟ ବନ୍ଦୀମାନଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି।
ତେବେ ସପ୍ତାହକର ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ କଏଦୀ ଅଦଳ ବଦଳ ପ୍ରକ୍ରିୟାରେ ଅନେକ ବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ଏଥିରେ ହମାସ ବନ୍ଦୀ ବନେଇଥିବା ୧୧୦ ଜଣ ଲୋକଙ୍କୁ ମୁକ୍ତ କରିଥିଲା। ଏଥିରେ ୮୦ ଜଣ ଇସ୍ରାଏଲର ଓ ୩୦ ଜଣ ବିଦେଶୀ ନାଗରିକ ସାମିଲ ଥିଲେ। ସେହିପରି ଚୁକ୍ତି ଅନୁସାରେ ଇସ୍ରାଏଲ ନିଜ ଜେଲରେ ବନ୍ଦୀ କରିଥିବା ୨୪୦ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିଥିଲା।
ଏବେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଗାଜାରେ ରିଲିଫ ସାମଗ୍ରୀର ଯୋଗାଣ ପୁଣି ଠପ୍ ହୋଇଯାଇଛି। ଗାଜାରେ ୮୦ ପ୍ରତିଶତ ଲୋକେ ବିସ୍ଥାପିତ ହୋଇଥିବାବେଳେ ସେମାନେ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ସହ ସଂଘର୍ଷ କରୁଛନ୍ତି।
ତେବେ ଯୁଦ୍ଧବିରତିକୁ ପୁଣି ଆରମ୍ଭ କରିବା ନେଇ କତାର ଓ ଇଜିପ୍ଟ ଉଭୟ ପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ହେଲେ ଇସ୍ରାଏଲ ହମାସ ଉପରେ ଯୁଦ୍ଧବିରତିର ଚୁକ୍ତି ଉଲ୍ଲଙ୍ଘନ କରୁଥିବାର ଅଭିଯୋଗ କରିଛି। ହମାସର ଅନ୍ତ ହେବା ଯାଏଁ ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ ସରକାର ଦୋହରାଇଛନ୍ତି।
Tags: #Israel-HamasWar #Gaza #GroundOperation #Hamas #TerroristAttack #Israel