ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଅଧିକ ଆସନରେ ଅଗ୍ରଣୀ
  • ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ ବଡ଼ ବ୍ୟବଧାନରେ ଆଗୁଆ
  • ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର

ଆଜି ଭାରତର ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ତେଲେଙ୍ଗାନା ଓ ଛତିଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଆଗୁଆ ରହିଥିବାବେଳେ ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ ଆଗରେ ରହିଛି। ତେବେ ଛତିଶଗଡ଼ରେ ବିଜେପି ଆଗେଇଥିଲେ ମଧ୍ୟ କଂଗ୍ରେସ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶରେ ‘ବିଜେପି’ ୧୫୫ଟି, କଂଗ୍ରେସ ୭୦ଟି ଓ ସ୍ଵାଧୀନ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଢ଼ାନି ସିଟରୁ ଆଗୁଆ ରହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା କମଲନାଥ ଛିନ୍ଦୱାଡା ଆସନରେ ଆଗୁଆ ଅଛନ୍ତି।   

ରାଜସ୍ଥାନରେ ବିଜେପି ୧୧୦ଟି, କଂଗ୍ରେସ ୭୦ଟି ଓ ଅନ୍ୟାନ୍ୟ ଦଳ ୧୯ଟି ଆସନରେ ଆଗ୍ରଣୀ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରଦାରପୁରା ଆସନରୁ ଆଗୁଆ ରହିଥିବାବେଳେ କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ସଚିନ ପାଇଲଟ ଟୋଙ୍କରୁ ଆଗୁଆ ରହିଛନ୍ତି। ଅନ୍ୟପଟେ ଝାଲରାପାଟଣା ଆସନରୁ ବିଜେପିର ବସୁନ୍ଧରା ରାଜେ ସିନ୍ଧିଆ ଆଗୁଆ ଅଛନ୍ତି।

ସେହିପରି ତେଲେଙ୍ଗାନାରେ କଂ‌ଗ୍ରେସ ୬୪ଟି, ବିଆରଏସ୍‌ ୪୨ଟି, ବିଜେପି ୯ଟି ଓ  ଅନ୍ୟାନ୍ୟ ଦଳ ୫ଟି ଆସନରେ ଅଗ୍ରଣୀ ଅଛନ୍ତି। ଦୁଇଟି ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗୋଟିଏ ଆସନରେ ଅଗ୍ରଣୀ ଥିବା ବେଳେ ଆର ଆସନରେ ପଛୁଆ ଅଛନ୍ତି। ପ୍ରାରମ୍ଭିକ ଗଣନା ଆନୁସାରେ ସେ କାମରେଡ୍ଡୀ ଆସନରେ ପଛରେ ପଡ଼ିଛନ୍ତି। ହେଲେ ଗଜୱେଲ୍‌ ଆସନରେ ଅଗ୍ରଣୀ ଅଛନ୍ତି।

ଅନ୍ୟପଟେ ଛତିଶଗଡ଼ରେ ପ୍ରାରମ୍ଭିକ ଟ୍ରେଣ୍ଡ ଆନୁସରେ କଂଗ୍ରେସ ଓ ବିଜେପି କଡ଼ା ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। କେତେବେଳେ କଂଗ୍ରେସ ଆଗଉଛି ତ କିଛି ସମୟ ମଧ୍ୟରେ ବିଜେପି ଅଗ୍ରଣୀ ହେଉଛି। ବର୍ତ୍ତମାନ ମିଳିଥିବା ସୂଚନା ଆନୁସରେ ଛତିଶଗଡ଼ରେ ବିଜେପି ୪୯ଟି ଓ କଂଗ୍ରେସ ୪୧ଟି ଆସନରେ ଆଗୁଆ ରହିଛି।

ବର୍ତ୍ତମାନ ସୁଦ୍ଧା ସବୁ ରାଜ୍ୟରେ ମାତ୍ର ୨ରୁ ୩ ରାଉଣ୍ଡ ହିଁ ଭୋଟ ଗଣା ସରିଛି। ଆଗକୁ ଆହୁରି ୧୦ରୁ ଅଧିକ ରାଉଣ୍ଡର ଭୋଟ ଗଣାଯିବା ବାକିଥିବାରୁ ସମୀକରଣ ବଦଳିବାର ସମ୍ଭାବନା ରହିଛି।    

Tags: #AssemblyElections #Results #VoteCounting #Politics #India

Comment