ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହି ୩ଟି ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ସୁନିଶ୍ଚିତ ହୋଇଛି। କଂଗ୍ରେସ ଏହି ସବୁ ରାଜ୍ୟରେ ଖାସ କରି ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଜିତିବାରେ ଅସଫଳ ହୋଇଛି।

ରାଜସ୍ଥାନରେ ବିଜେପି ୧୧୫ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୬୯ଟି ଓ ଅନ୍ୟାନ୍ୟ ଦଳ ୧୫ଟି ଆସନରେ ଆଗ୍ରଣୀ ଅଛନ୍ତି। ବିଜେପିର ବିଜୟ ନିଶ୍ଚିତ ହେବାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରବିବାର ସନ୍ଧ୍ୟାରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।  

ସେହିପରି ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ଦୁଇ ତୃତୀୟାଂଶ ବହୁମତରେ ବିଜୟୀ ହେବାକୁ ଯାଉଛି। ଏଠାରେ ଦଳ ୧୬୮ଟି ଆସନରେ ଆଗୁଆ ରହିଛି। ଅନ୍ୟପଟେ କଂଗ୍ରେସ ୬୧ଟି ଆସନରେ ଅଗ୍ରଣୀ ରହିଛି। ଏବେ ଶିବରାଜ ସିଂହ ଚୌହାନ ପୁଣିଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି।     

ଅନ୍ୟପଟେ ଛତିଶଗଡ଼ରେ ନିର୍ବାଚନୀ ଫଳଫଳ କଂଗ୍ରେସକୁ ଶକ୍ତ ଝଟକା ଦେଇଛି। ଏଠାରେ ବିଜେପି ୫୬ଟି ଆସନରେ ଆଗୁଆ ରହି କଂଗ୍ରେସକୁ କ୍ଷମତାରୁ ବାହାର କରିଛି। କଂଗ୍ରେସ ମାତ୍ର ୩୪ଟି ସିଟରେ ସୀମିତ ରହିଯାଇଛି।

ଅଧିକାଂଶ ଏକଜିଟ୍ ପୋଲରେ ଛତିଶଗଡ଼ରେ କଂଗ୍ରେସ ଜିତିବ ବୋଲି ପୂର୍ବାନୁମାନ କରାଯାଇଥିବାବେଳେ ଏହା ଭୁଲ ସାବ୍ୟସ୍ତ ହୋଇଛି। ଏବେ ଏଠାରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।   

ଏହାସହ ତେଲେଙ୍ଗାନାରେ କଂ‌ଗ୍ରେସ ୬୩ଟି ଆସନରେ ଆଗୁଆ ରହି କ୍ଷମତାସୀନ ବିଆରଏସକୁ ପଛକୁ ଠେଲିଦେଇଛି। ଏଠାରେ ବିଆରଏସ୍‌ ୪୦ଟି ସିଟରେ ଆଗୁଆ ରହି ସୀମିତ ହୋଇଛି। ରାଜ୍ୟରେ ଏବେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି।

ତେବେ ତେଲେଙ୍ଗାନାରେ ମଧ୍ୟ ବିଜେପି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ୨୦୧୮ ନିର୍ବାଚନରେ ଗୋଟିଏ ସିଟ ଜିତିଥିବା ବିଜେପି ଏବେ ୯ଟି ଆସନରେ ଅଗ୍ରଣୀ ହୋଇଛି। ଏହାସହ ଦଳର ଭୋଟ ପ୍ରତିଶତ ୭ ପ୍ରତିଶତରୁ ବଢ଼ି ଏବେ ପ୍ରାୟ ୧୪ ପ୍ରତିଶତ ହୋଇଛି।

ତେବେ ଫଳାଫଳ ସମ୍ପୂର୍ଣ୍ଣ ପ୍ରକାଶ ପାଇ ନଥିଲେ ମଧ୍ୟ ୪ଟିରୁ ୩ଟି ରାଜ୍ୟରେ ଜିତିବା ବିଜେପିର ମନୋବଳକୁ ବହୁତ ବଢ଼ାଇଛି। ଏହି ବିଜୟ ପାଇଁ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବାବେଳେ କଂଗ୍ରେସ ଶିବିରରେ ନୀରବି ଯାଇଛି। ୨୦୨୪ ସାଧାରଣ ନିର୍ବଚନ ପୂର୍ବରୁ ଏହା ବିଜେପିକୁ ଆହୁରି ବଳ ଦେବାର ସମ୍ଭାବନା ରହିଛି ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତ ଦେଇଛନ୍ତି।

Tags: #AssemblyElections #Results #VoteCounting #Politics #India

Comment