ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଛି କଂଗ୍ରେସ। ତେଲେଙ୍ଗନା କଂଗ୍ରେସ ସଭାପତି ରେବାନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଡିସେମ୍ବର ୭ ତାରିଖରେ ଶପଥ ନେବେ। ଏନେଇ ମଙ୍ଗଳବାର କଂଗ୍ରେସ ବିଧାୟକ ଦଳର ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି।

ରେବାନ୍ତ ରେଡ୍ଡୀ ଏବେ ତେଲେଙ୍ଗନା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ନେତୃତ୍ଵରେ ଦଳ ଚଳିତ ନିର୍ବାଚନରେ ଐତିହାସିକ ବହୁମତ ହାସଲ କରିଛି। ରାଜ୍ୟରେ କଂଗ୍ରେସ ମୋଟ ୧୧୯ ଆସନରୁ ୬୪ ଆସନରେ ବିଜୟ ଲାଭ କରି କ୍ଷମତାକୁ ଆସିଛି। ଅନ୍ୟପଟେ ବିଆରଏସ୍ ୩୯ଟି ଆସନ ପାଇଥିବା ବେଳେ ବିଜେପି ୮ଟି ସିଟ୍ ଜିତିଛି।

ତେଲେଙ୍ଗାନାରେ କଂଗ୍ରେସ ନିର୍ବାଚନ ଜିତିବା ପରେ ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କ ନେତୃତ୍ଵରେ କଂଗ୍ରେସ ଯେଉଁଭଳି କ୍ଷମତା ହାସଲ କଲା ତାହାକୁ ରାଜନୀତି ବିଶେଷଜ୍ଞଙ୍କ ବେଶ୍ ପ୍ରଶଂସା କରିଛନ୍ତି।  

ରେବାନ୍ତ ରେଡ୍ଡୀଙ୍କ ରାଜନୈତିକ ଜୀବନ

ରେବାନ୍ତ ରେଡ୍ଡୀଙ୍କ ଜନ୍ମ ୧୯୬୯ ମସିହାରେ ଆନ୍ଧ୍ରପ୍ରଦେଶର ମେହବୁବନଗରରେ ହେଇଥିଲା। ସେ ଛାତ୍ର ଜୀବନରୁ ହିଁ ରାଜନୀତିରେ ପ୍ରବେଶ କରିଥିଲେ। ସେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ୍ କରୁଥିବାବେଳେ ଛାତ୍ର ସଙ୍ଗଠନ ଏବିଭିପି ସହ ଯୋଡ଼ି ହେଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଦଳରେ ସାମିଲ ହେଇଥିଲେ।

୨୦୦୯ ମସିହାରେ ପ୍ରଥମ କରି ଟିଡିପି ଟିକେଟରୁ ନିର୍ବାଚନ ଲଢ଼ି ଆନ୍ଧ୍ରପ୍ରଦେଶ ବିଧାନସଭାରେ ପାଦ ରଖିଥିଲେ ରେବାନ୍ତ ରେଡ୍ଡୀ। ୨୦୧୪ ମସିହାରେ ତାଙ୍କୁ ତେଲେଙ୍ଗନା ବିଧାନସଭାରେ ଟିଡିପି ନିଜର ନେତା ଭାବେ ଚୟନ କରିଥିଲା। ହେଲେ ୨୦୧୭ରେ ଟିଡିପିରୁ ବାହାରି ସେ କଂଗ୍ରେସର ସାମିଲ ହୋଇଥିଲେ।

ଟିଡିପି ଛାଡ଼ି କଂଗ୍ରେସରେ ଯୋଗ ଦେବାପରେ ୨୦୧୮ରେ ପୁଣି ଥରେ କୋଡାଙ୍ଗଲ ସିଟରୁ ନିର୍ବାଚନ ଲଢିଥିଲେ ରେବାନ୍ତ। ହେଲେ ଏଥିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ବିଧାନସଭା ନିର୍ବାଚନ ପରାଜୟର କ୍ଷତି, ସେ ପରବର୍ତ୍ତୀ ସମୟରେ ଲୋକସଭା ନିର୍ବାଚନରେ ପୂରଣ କରିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ରେବାନ୍ତ ତେଲେଙ୍ଗନାର ମଲକାଜଗିରି ଅସନରୁ ସାଂସଦ ପଦ ପାଇଁ ଲଢ଼ି ୧୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ଏହାପରେ ୨୦୨୧ରେ କଂଗ୍ରେସ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେବାପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଏବେ ତାଙ୍କ ନେତୃତ୍ୱରେ କଂଗ୍ରେସ ତେଲେଙ୍ଗାନାରେ ବିଜୟ ହାସଲ କରିଛି।

Tags: #RevanthReddy #CM #Telangana #Congress #Election

Comment