ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନୂଆବର୍ଷଠାରୁ ଶ୍ରୀକ୍ଷେତ୍ର ପୁରୀରେ ବଡ଼ଠାକୁରଙ୍କୁ ଶୃଙ୍ଖଳିତ ଭାବେ ଯାଇ ଦର୍ଶନ କରିପାରିବେ ଭକ୍ତ। ଏଥିଲାଗି ଭକ୍ତଙ୍କ ପାଇଁ ହେବାକୁ ଯାଉଛି ସ୍ଵତନ୍ତ୍ର ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ। ବୁଧବାର ଦିନ ଏଥିପାଇଁ ମାପଚୁପ ଆରମ୍ଭ ହୋଇଛି।

ଭକ୍ତମାନେ ଯେପରି ସୁବିଧାରେ ଏବଂ ଶୃଙ୍ଖଳିତ ଭାବେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରିପାରିବେ ସେଥିପାଇଁ ମରଚିକୋଟ ଛକ ନିକଟରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮୪ ମିଟର ଲମ୍ବ ଏବଂ ୧୨ ମିଟର ଯଉଡ଼ାରେ ଶୀତତାପ ନିୟନ୍ତ୍ରିତ ଟେନସାଲ ଫାବ୍ରିକ୍ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହା ଭିତରେ ସବୁ ପ୍ରକାରର ସୁବିଧା ରହିବ।

ଏହି ସ୍ଵତନ୍ତ୍ର ବ୍ୟାରିକେଡର ଉପର ତଥା ଚାରିପଟେ ଟେନସାଲ ଫାବ୍ରିକ କଭର ଦିଆଯିବ। ଏହାକୁ ଏୟାର କଣ୍ଡିସନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରଠାରୁ ମରଚିକୋଟ ପର୍ଯ୍ୟନ୍ତ ସମସ୍ତ ଉଠାକୋଦାନକୁ ହଟାଯାଛି। ଚଳିତ ମାସ ଡିସେମ୍ବର ୨୫ ତାରିଖ ସୁଦ୍ଧା ବ୍ୟାରିକେଡ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଥିବା ଉପଜିଲ୍ଲପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

ବର୍ଷ ସାରା ଏହି ବ୍ୟାରିକେଡ ରହିବ, କେବଳ ରଥଯାତ୍ରା ସମୟରେ ଏହାକୁ ହଟାଯିବ। ବଡ଼ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ଏହି ବ୍ୟାରିକେଡରେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଭିତର ଦେଇ ଦୋଳବେଦୀ କୋଣ ହୋଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବେ।

Tags: #Puri #ShreeMandir #ACTunnel #ShreeJaganath #Badadanda

Comment