ଓଡ଼ିଶାଲାଇଭ୍ ବ୍ୟୁରୋ

ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେବାନ୍ତ ରେଡ୍ଡୀ। ଗୁରୁବାର ତେଲେଙ୍ଗାନାର ରାଜ୍ୟପାଳ ଡାକ୍ତର ତାମିଲିସାଇ ସୌନ୍ଦରାଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ଅନ୍ୟ ୧୧ ଜଣ ନେତା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ହାଇଦ୍ରାବାଦର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତେ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

ସେହିପରି ଗୁରୁବାର ତେଲେଙ୍ଗାନା କଂଗ୍ରେସ ନେତା ଭଟ୍ଟି ବିକ୍ରମର୍କା ମଲ୍ଲୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାସହ କଂଗ୍ରେସ ନେତା ଉତ୍ତମ କୁମାର ରେଡ୍ଡୀ, ଶ୍ରୀଧର ବାବୁ, ପୋନମ ପ୍ରଭାକର, ଭେଙ୍କଟ ରେଡ୍ଡୀ, ଦାମୋଦର ରାଜା ନରସିମହା, ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ଦାନା ଅନସୂୟା, ଥୁମ୍ମଲା ନାଗେଶ୍ଵର ରାଓ ଏବଂ କୋଣ୍ଡା ସୁରେଖା ମନ୍ତ୍ରୀ ପଦର ଶପଥ ନେଇଥିଲେ।

ଚଳିତ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଆରଏସକୁ ପଛରେ ପକାଇ କ୍ଷମତା ହାସଲ କରିଥିଲା କଂଗ୍ରେସ। ଦଳ ୧୧୯ଟି ଆସନରୁ ୬୪ଟି ଜିତିବାରେ ସଫଳ ହୋଇଥିଲା। ସେହିପରି ବିଆରଏସକୁ ୩୯ଟି, ବିଜେପିକୁ ୮ଟି ଏଆଇଏମଆଇଏମକୁ ୭ଟି ଏବଂ ସିପିଆଇକୁ ଗୋଟିଏ ସିଟ ମିଳିଥିଲା।      

ତେଲେଙ୍ଗାନାରେ ବିଜୟୀ ହେବାପରେ ରାଜ୍ୟ କଂଗ୍ରେସ ସଭାପତି ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ମଙ୍ଗଳବାର ବିଧାୟକ ଦଳର ବୈଠକରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଥିଲା।     

Tags: #RevanthReddy #CM #Telangana #Congress #Election

Comment