ଓଡ଼ିଶାଲାଇଭ୍ ବ୍ୟୁରୋ

ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷର ‘ଅଖିଳ କଥା ସମ୍ମାନ’ ଓ ‘ଜ୍ଞାନଦା କବିତା ସମ୍ମାନ’ ପାଇଁ ନାମ ଘୋଷଣା କରାଯାଇଛି। ବିଶିଷ୍ଟ କଥାଶିଳ୍ପୀ ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ପାଇବେ ଚଳିତ ବର୍ଷର ‘ଅଖିଳ କଥା ସମ୍ମାନ’। ସେହିପରି ବିଶିଷ୍ଟ କବି ପବିତ୍ର ମୋହନ ଦାଶଙ୍କୁ ମିଳିବ ସମ୍ମାନଜନକ ‘ଜ୍ଞାନଦା କବିତା ସମ୍ମାନ’।

ଚଳିତ ଡିସେମ୍ବର ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ଵର ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ସାରସ୍ଵତ ସମାବେଶରେ ଦୁଇ ବିଶିଷ୍ଟ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ।

‘ଅଖିଳ ଦିବସ’ ପାଳନ ପୂର୍ବରୁ ଭୁବନେଶ୍ଵର କ୍ଲବଠାରେ ରବିବାର ଦିନ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ୧୧ ଜଣ ସୁପରିଚିତ ସାହିତ୍ୟିକଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଭୋଟିଂ ମାଧ୍ୟମରେ ଦୁଇ ଜଣ ବିଶିଷ୍ଟ ସାରସ୍ଵତ ସାଧକ କଥାଶିଳ୍ପୀ ସୁଶ୍ରୀ ଚିରଶ୍ରୀ ଇନ୍ଦ୍ରସିଂ ଓ କବି ପବିତ୍ର ମୋହନ ଦାଶଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଅଖିଳ ମୋହନ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ତିମିର ବରଣ ପଟ୍ଟନାୟକ ଏବଂ ଅନ୍ୟତମ ନିର୍ଦ୍ଦେଶକ ମନ୍ମଥ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Tags: #AkhilmohanPattanaik #odianovelist #AkhilmohanFoundation #Bhubaneswar #Award

LEAVE A REPLY

Please enter your comment!
Please enter your name here