ଓଡ଼ିଶାଲାଇଭ୍ ବ୍ୟୁରୋ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡ଼ୁଆ ବଢ଼ିଲା। ସୌରୀନଙ୍କ ବିରୋଧରେ ଜାରି ହୋଇଛି ଏନବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରଓ୍ଵାନା। ପୋଲିସର ଆବେଦନ ଉପରେ କଟକ ଏସଡିଜେଏମ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି।

ସୌରୀନ ଭଟ୍ଟ ଦୀର୍ଘଦିନ ଧରି ତଦନ୍ତରେ ସହଯୋଗ ନକରିବାରୁ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିବା ପାଇଁ ପୋଲିସ ପକ୍ଷରୁ ଆବେଦନ ହୋଇଥିଲା। ଏହା ପୂର୍ବରୁ ସୌରୀନଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହେବା ସହ ତାଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିଥିଲା କମିଶନରେଟ ପୋଲିସ।

କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଜଗତପୁର ସାଇ ବିହାରରେ ରହୁଥିବା ଜଣେ ଯୁବତୀଙ୍କୁ ବଲିଉଡରେ ଗୀତ ଗାଇବା ପାଇଁ ସୁଯୋଗ ଦେବାକୁ କହିଥିଲେ। ପରେ ଯୁବତୀ ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ। ଏହାକୁ ନେଇ ସେ ଜଗତପୁର ଥାନାରେ ସୌରୀନଙ୍କ ବିରୋଧରେ ଯୌନ ନିର୍ଯାତନା ଓ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଥିଲେ। ପରେ ଏହି ମାମଲାକୁ କଟକ ମହିଳା ଥାନାକୁ ପଠାଯାଇଥିଲା।

ଏହି ମାମଲାରେ ସୌରୀନଙ୍କ ବିରୋଧରେ ଆଇପିସିର ୩୭୬, ୪୯୩, ୩୪୧, ୨୯୪, ୪୧୭ ଏବଂ ୫୦୬ ଦଫା ଲାଗିଛି। ଏହାପରେ ଜୁନ ୨୧ରେ କୋଲକାତାର ବାଲିଗଞ୍ଜ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ପୋଲିସ ଚଢ଼ଉ କରିଥିଲା।

ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସୌରୀନ ଜୁନ ୨୬ ତାରିଖରେ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବାପରେ ସେ ଅଗଷ୍ଟ ୭ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ। ଏବେ ଅଗଷ୍ଟ ୨୬ ତାରିଖରେ ଏହି ଅନ୍ତରୀଣ ସୁରକ୍ଷା ଅବଧି ଶେଷ ହୋଇଥିଲା। ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ଗତ ଅଗଷ୍ଟ ୩୦ ତାରିଖରେ ହାଇକୋର୍ଟ ଖାରଜ କରିଦେଇଥିଲେ।  

Tags: #SourinBhatt #Singer #MolestationCase #BailPetition #Odisha #NBW

Comment