ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନୂଆବର୍ଷରୁ ପୁରୀ ଶ୍ରୀମନ୍ଦିରରେ କଡ଼ାକଡ଼ି ପାଳନ ହେବ ନିୟମ। ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡ଼ାକଡ଼ି ହେବ। ଏହା ସହ ଶ୍ରୀମନ୍ଦିର ଭିତରେ ପାନ, ଗୁଟଖା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ରହିବ। ଶୁକ୍ରବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ନୀତି ସବ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଡିସେମ୍ବର ୩୧ ତାରିଖ ଏବଂ ୨୦୨୪ ଜାନୁଆରି ୧ ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଭକ୍ତଙ୍କ ଭିଡ଼କୁ ଦେଖି ଆବଶ୍ୟକତା ପଡ଼ିଲେ ରାତି ପହୁଡ଼ ବନ୍ଦ ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ଯଦି ନୂଆବର୍ଷ ଦିନ ଭିଡ଼ ବଢ଼ିବ ତେବେ ପରିସ୍ଥିତି ଦେଖି ପହଡ଼ କରିବା କିମ୍ବା ନକରିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଡିସେମ୍ବର ୧୬ ତାରିଖରୁ ୨୦୨୪ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ବଡ଼ଠାକୁରଙ୍କ ପହିଲି ଭୋଗ ଓ ୧୫ ତାରିଖରେ ହେବାକୁ ଥିବା ଧନୁ ସଂକ୍ରାନ୍ତି ଏବଂ ଜାନୁଆରି ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ପୂର୍ଣ୍ଣିମା ସମ୍ପର୍କରେ ଆଲୋଚନା ହୋଇ ନୀତି ନିର୍ଘଣ୍ଟ ହୋଇଛି।

ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ୱାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପର୍ଣ୍ଣ ହେବ। ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ରାତ୍ର ପହଡ଼ ହେବ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଏହା ସହିତ ଆସନ୍ତା ନୂଆବର୍ଷ ଏବଂ ନୂଆବର୍ଷ ପୂର୍ବ ଦିନ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଥିବାରୁ ଭିଡ଼ ପରିଚାଳନା ସହ ଶୃଙ୍ଖଳିତ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି।

Tags: #Puri #ShreeMandir #BanPaanGutkha #NewYear

Comment