ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ଦିନ ଜୟପୁରରେ ବସିଥିବା ବିଜେପି ବିଧାୟକ ଦଳର ବୈଠକରେ ଏନେଇ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି।

ଭଜନଲାଲ ଶର୍ମା ରାଜସ୍ଥାନର ସଙ୍ଗନେର ବିଧାନସଭା ଆସନରୁ ବିଧାୟକ ରହିଛନ୍ତି। ସେ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୪୮ ହଜାର ୮୧ ଖଣ୍ଡ ଭୋଟରେ ହରାଇଥିଲେ। ସେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୪ଥର ରାଜସ୍ଥାନ ବିଜେପିର ସାଧାରଣ ସମ୍ପାଦକ ରହିଥିଲେ।

ସେହିପରି ରାଜସ୍ଥାନରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରାବା ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ନୂଆ ମୁଖ୍ୟମନ୍ତ୍ରୀ ହେବା ପାଇଁ ଭଜନଲାଲ ଶର୍ମାଙ୍କ ନାଁ ସୁପାରିସ କରିଥିଲେ।

ରାଜସ୍ଥାନରେ ବିଜେପି କ୍ଷମତାକୁ ଆସିବାପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ କଳ୍ପନା ଜଳ୍ପନା ଦେଖାଦେଇଥିଲା। ବସୁନ୍ଧରା ରାଜେ ସିନ୍ଧିଆ, ଗଜେନ୍ଦ୍ର ସିଂହ ଶେଖୱତ, ବାବା ବାଳକନାଥ, ଦିୟା କୁମାରୀଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।    

Tags: #BhajanlalSharma #NewCM #Rajasthan #BJP #Politics #India

 

Comment