ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ କିମ୍ବା ସରକାରୀ ଜାଗାରେ ‘ଟୁ-ଲେଟ୍’ ମାରୁଥିଲେ ହୋଇଯାଆନ୍ତୁ ସାବଧାନ। ଏହିଭଳି ବିଜ୍ଞାପନ ଲଗାଇଲେ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ଜୋରିମାନା। ବିନା ଅନୁମତିରେ ସରକାରୀ ଜାଗାରେ ବିଜ୍ଞାପନ ଲଗାଇଲେ ଜୋରିମାନା ଆଦାୟ କରାଯିବ ବୋଲି ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ କୁହାଯାଇଛି।

ଭୁବନେଶ୍ଵରର ବିଭିନ୍ନ ସ୍ଥାନର କାନ୍ଥବାଡ଼ରେ ‘ଟୁ-ଲେଟ୍’ ବିଜ୍ଞାପନ ଲଗାଇଥିବାରୁ ତିନିଟି ସଂସ୍ଥାକୁ ୫୦ ହଜାର ଟଙ୍କା ଲେଖାଏଁ ଫାଇନ କରିଛି ବିଏମସି। ଏହା ସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ବିରୋଧରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି।

ଗତ କିଛି ଦିନ ହେବ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ‘ଟୁ-ଲେଟ୍’ ବିଜ୍ଞାପନ ଲଗାଇ ଲୋକଙ୍କଠାରୁ ଠକେଇ କରାଯିବା ସହ ସେମାନଙ୍କୁ ହଇରାଣ ହରକତ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏହା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ବିଏମସି।

“ଘର ଭଡ଼ା ଦେବା ପାଇଁ କିଛି ସଂସ୍ଥା ଏବଂ ଘର ମାଲିକମାନେ କାନ୍ଥବାଡ଼, ବିଦ୍ୟୁତ ଖୁଣ୍ଟ ଏବଂ ସରକାରୀ ଜାଗାରେ ‘ଟୁ-ଲେଟ୍’ ଲେଖାଥିବା ବିଜ୍ଞାନ ମାରୁଛନ୍ତି। ଏହା ଯୋଗୁଁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏହାକୁ ନେଇ ବିଏମସି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ନିୟମ ଉଲ୍ଲଂଘନ କରିଥିବାରୁ ତିନି ସଂସ୍ଥାକୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜଣେ ବ୍ୟକ୍ତି ଚାହିଁଲେ ନିଜ ଘର ଆଗରେ ‘ଟୁ-ଲେଟ୍’ ମାରିପାରିବେ”, କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

Tags: #Bhubaneswar #Penalty #BMC #ToLetPoster #Fine

LEAVE A REPLY

Please enter your comment!
Please enter your name here