ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଶିକ୍ଷାଜୀବୀର କଥା’ ଓ ‘ପିଲାଦିନର କଥା’ ଶୀର୍ଷକ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହା ସହିତ ‘ଗଗନେନ୍ଦ୍ର ଗାଥା’ ଶୀର୍ଷକ ଏକ ସମାଲୋଚନା ପୁସ୍ତକ ଓ ‘ସ୍ମୃତିରେ ଗଗନେନ୍ଦ୍ର’ ଶୀର୍ଷକ ଏକ ସ୍ମୃତିଗ୍ରନ୍ଥ ମଧ୍ୟ ଉନ୍ମୋଚିତ ହୋଇଥିଲା।

ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ପୌରୋହିତ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଶୈଳେଶ୍ୱର ନନ୍ଦ, ମୁଖ୍ୟବକ୍ତା ଭାବେ ଡକ୍ଟର କୈଳାସ ଚନ୍ଦ୍ର ଦାଶ ଓ ସମ୍ମାନୀତ ଅତିଥି ଭାବେ ବୈଷ୍ଣବ ଚରଣ ମହାନ୍ତି ଓ ଅସିତ ମହାନ୍ତି ଯୋଗ ଦେଇଥିଲେ।

ଆତ୍ମଜୀବନୀ ‘ଶିକ୍ଷାଜୀବୀର କଥା’ ପ୍ରଥମେ ଏକ ମୁଦ୍ରିତ ପାଣ୍ଡୁଲିପି ରୂପେ ପ୍ରଫେସର ଦାଶଙ୍କ ଶୁଭେଚ୍ଛୁ ଓ ଛାତ୍ରମାନଙ୍କ ମଧ୍ୟରେ ସୀମିତ ସଂଖ୍ୟାରେ ଘରୋଇ ଭାବେ ପ୍ରସାରିତ ହୋଇଥିଲା। ଏବେ ଏହା ପୂର୍ଣ୍ଣାଙ୍ଗ ରୂପରେ ପ୍ରକାଶ ପାଇଛି। ଏହି ଆତ୍ମଜୀବନୀକୁ ଅଧିକ ପ୍ରାମାଣିକ କରିବା ପାଇଁ ଅଧ୍ୟାୟଗୁଡ଼ିକର ପରିଶିଷ୍ଟରେ ଲେଖକ ବିଭିନ୍ନ ଚିଠି ବା ନଥିପତ୍ର ସଂଯୋଜିତ କରିଛନ୍ତି।

ସେହିପରି ‘ପିଲାଦିନର କଥା’ ପୁସ୍ତକଟି ସନ୍ତୋଷ କୁମାର ମହାନ୍ତିଙ୍କ ସଂପାଦନାରେ ପ୍ରକାଶ ପାଇଛି। ଏହି ଦୁଇଟି ଆତ୍ମଜୀବନୀ ପୁସ୍ତକର ପ୍ରକାଶକ ହେଉଛନ୍ତି ‘ଆମ ଓଡ଼ିଶା’। ଦିବଂଗତ ଗଗନେନ୍ଦ୍ରଙ୍କର କୃତୀ ସମ୍ପର୍କୀତ ଏକ ଆଲୋଚନା ପୁସ୍ତକ ‘ଗଗନେନ୍ଦ୍ର ଗାଥା’ ଗୌରାଙ୍ଗ ଚରଣ ଦାଶ, ଅସିତ ମହାନ୍ତି ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଂପାଦନାରେ ‘ବିଦ୍ୟାପୁରୀ’ ପକ୍ଷରୁ ପ୍ରକାଶ ପାଇଛି। ‘ସ୍ମୃତିରେ ଗଗନେନ୍ଦ୍ର’କୁ ସଂପାଦନା କରିଛନ୍ତି ସନ୍ତୋଷ କୁମାର ମହାନ୍ତି।

ଏହି ଉତ୍ସବରେ ବକ୍ତା ଓ ଅତିଥିମାନେ ଜଣେ ତଥ୍ୟନିଷ୍ଠ ଓ ନିଷ୍ଠାପର ଭାଷା-ସାହିତ୍ୟ ସମୀକ୍ଷକ ଭାବେ ଦିବଂଗତ ଗଗନେନ୍ଦ୍ର ନାଥ ଦାଶଙ୍କର ବିଶେଷତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଆୟୋଜିତ ସଭାକୁ ସଂଯୋଜନା କରିଥିଲେ କୃଷ୍ଣଚନ୍ଦ୍ର ପ୍ରଧାନ। ସ୍ୱର୍ଗତ ଗଗନେନ୍ଦ୍ର ଦାଶଙ୍କ ପତ୍ନୀ ରମା ଦେବୀ, ପୁଅ ତପନ ଦାଶ ଓ ଝିଅ ପ୍ରତୀଚୀ ଦାଶ ଉତ୍ସବର ଆୟୋଜନ କରିଥିଲେ।

Tags: #AutobiographicalBook #Literature#EminentLiterarywriterprofGaganendraNathDash

Comment