ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଦଳରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୭। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ଜର୍ସିକୁ ପିନ୍ଧୁଥିଲେ। ଏବେ ଏହାକୁ ଅବସର ଦେବାପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ।
ମହେନ୍ଦ୍ର ସିଂହ ଧୋନୀ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। କ୍ରିକେଟ ଜଗତରେ ଥିବା ଧୋନୀଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଯାଇ ୩ ବର୍ଷ ପରେ ସେ ପିନ୍ଧୁଥିବା ୭ ନମ୍ବର ଜର୍ସିକୁ ଅବସର ଦିଆଯାଉଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ୨୦୧୭ ମସିହାରେ ମହାନ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ଅବସର ଦିଆଯାଇଥିଲା। ଏଥିପାଇଁ ଏବେ ଭାରତୀୟ ଦଳରେ ସାମିଲ ହେଉଥିବା ନୂଆ ଖେଳାଳିମାନଙ୍କ ପାଇଁ ୧୦ ନମ୍ବର ସହ ୭ ନମ୍ବର ଜର୍ସି ଆଉ ଉପଲବ୍ଧ ହେବନାହିଁ।
ମହେନ୍ଦ୍ର ସିଂହ ଧୋନୀ ଟିମ୍ ଇଣ୍ଡିଆର ଜଣେ ସଫଳ ଅଧିନାୟକ ଥିଲେ। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ଵକପ, ୨୦୧୧ ଦିନିକିଆ ବିଶ୍ଵକପ ଏବଂ ୨୦୧୩ ମସିହା ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।
Tags: #MSDhoni #Jerseyno7 #IndiaCricketTeam #Sports #BCCI