ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲାର ୪ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ନିର୍ମାଣ ହେବ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ। ଏହି ୭ଟି ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ମୋଟ ୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ପରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଚାପମାଣିକ, ରେବଣା-ନୂଆଗାଁ ଓ ବଡ଼ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଓ ବଡ଼ନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଏବଂ ପୁରୀ ସଦର ବ୍ଲକର ରାଇଗୋରଡ଼ା ଗ୍ରାମପଞ୍ଚାୟତରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ। ଏହାଦ୍ଵାରା ଉପରୋକ୍ତ ଗ୍ରାମଗୁଡ଼ିକ ସହ ବ୍ଲକର ଅନ୍ୟାନ୍ୟ ଗ୍ରାମର ଲୋକମାନେ ମଧ୍ୟ ଉପକୃତ ହେବେ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହିସବୁ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗର ରହିବ। ଏଥିପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।

ପୁରୀ ଏକ ବାତ୍ୟାପ୍ରବଣ ଜିଲ୍ଲା ହୋଇଥିବାରୁ ଏଠାକାର ବିଭିନ୍ନ ପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତାବ ଆସିଥିଲା। ତେବେ ଜିଲ୍ଲାରେ ଆଗକୁ ଆହୁରି ଅଧିକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି।

Tags: #StormShelters #GramPanchayats #Puri #Cyclone #RuralDevelopment #GovtofOdisha

Comment