ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଢ଼ଣ ଷଷ୍ଠୀ। ଶ୍ରୀମନ୍ଦିରରେ ଆଜିଠୁ ଘୋଡ଼ଲାଗି ହୋଇଛନ୍ତି ମହାପ୍ରଭୁ। ଶୀତରୁ ରକ୍ଷା ପାଇବା ପାଇଁ ଦରଜି ସେବକଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଘୋଡ଼ ବା ଶୀତବସ୍ତ୍ର ମହାପ୍ରଭୁ ପରିଧାନ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ଘୋଡ଼ଲାଗି ନୀତି ପାଇଁ ପୂର୍ବ ରାତିରେ ଘୋଡ଼ଗୁଡ଼ିକୁ ଭୋଗମଣ୍ଡପରେ ରଖାଯାଇଥିଲା। ଏଗୁଡ଼ିକୁ ପଟୁଆରରେ ଅଣାଯାଇ ବଡ଼ଦେଉଳର ପରିକ୍ରମା ପରେ ରତ୍ନସିଂହାସନକୁ ବେଜେ କରାଯାଇଥିଲା।

ସୋମବାର ମହାପ୍ରଭୁଙ୍କ ସକାଳ ଧୂପ ଓ ମଇଲମ ସରିବା ପରେ ଘୋଡ଼ଲାଗି ନୀତି କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ନିକଟରେ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବା ସହ ପ୍ରସାଦ ଲାଗି ହୋଇଥିଲା।

ଓଢ଼ଣ ଷଷ୍ଠୀଠାରୁ ଶ୍ରୀପଞ୍ଚମୀ ଯାଏଁ ମହାପ୍ରଭୁଙ୍କ ଠାରେ ଏହି ଘୋଡ଼ ଲାଗିହେବ। ମହାପ୍ରଭୁ ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ପରିଧାନ କରିବେ। ରବିବାର ଦିନ ଲାଲ, ସୋମବାରରେ କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ ବା ପଞ୍ଚରଙ୍ଗ, ବୁଧବାର ସବୁଜ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହେବ।

ମଖଲମ ଓ ସୂତା କପଡ଼ାରେ ଦରଜି ସେବକମାନେ ଘୋଡ଼ ତିଆରି କରିଥାନ୍ତି। ମହାପ୍ରଭୁଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ।

Tags: #SriMandir #OdhanaSasthi #GhodaLagiNiti #LordJagannath #Rituals #Puri

Comment