ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରଥମେ ବଡ଼ଠାକୁରଙ୍କୁ କରାଯିବ ନିମନ୍ତ୍ରଣ। ଏଥିପାଇଁ ଗୁରୁବାର ଅପରାହ୍ଣରେ ମହାପ୍ରଭୁଙ୍କ ନିକଟରେ ନିମନ୍ତ୍ରଣ ପତ୍ର ଅର୍ପଣ କରାଯିବ। ଏହାପରେ ଅନ୍ୟ ଧାର୍ମିକ ଅନୁଷ୍ଠାନ ଓ ବିଶିଷ୍ଟ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।  

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଜାନୁଆରି ୧୭ ତାରିଖରେ କରିବାକୁ ତିଥି ଧାର୍ଯ୍ୟ ହୋଇଛି। ପ୍ରକଳ୍ପର ଅଧିକାଂଶ କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହାର ଲୋକର୍ପଣକୁ ବହୁ ଆଡ଼ମ୍ବରରେ ଆୟୋଜନ କରିବାକୁ ଯୋଜନା କରାଯାଇଛି।

ଏହି ଲୋକର୍ପଣ ଉତ୍ସବକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବ। ଏଥିରେ ଓଡ଼ିଶାର ସବୁ ଜିଲ୍ଲାରୁ ୮୫୭ଟି ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବାକୁ ଯୋଜନା କରାଯାଇଛି। ସେହିପରି ପରିକ୍ରମା ପ୍ରକଳ୍ପର ଲୋକାପର୍ଣ ଉତ୍ସବକୁ ଭାରତର ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠ ଗୁଡ଼ିକରୁ ସାଧୁ ସନ୍ଥ ଏବଂ ନେପାଳର ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।

ପରିକ୍ରମା ପ୍ରକଳ୍ପର ଲୋକାପର୍ଣ ଉତ୍ସବରେ ହେବାକୁଥିବା ମହାଯଜ୍ଞରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୂର୍ଣ୍ଣାହୁତି ଦେବେ। ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି।

ଓଡ଼ିଆ ସଂସ୍କୃତି ଅନୁଯାୟୀ ବିବାହ, ବ୍ରତଘର ତଥା ଘର ପ୍ରତିଷ୍ଠା ଭଳି ଶୁଭ କାର୍ଯ୍ୟରେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ନିମନ୍ତ୍ରଣ ପତ୍ର ଦିଆଯାଏ। ସେହି ପରମ୍ପରାକୁ ବଜାୟ ରଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ଉତ୍ସବ ପାଇଁ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବ।

Tags: #SriMandir #ParikramaProject #Invitation #LordJagannath #Puri  

 

LEAVE A REPLY

Please enter your comment!
Please enter your name here