ଓଡ଼ିଶାଲାଇଭ୍ ବ୍ୟୁରୋ

ଏଏସଓ ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିରେ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧,୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଛି। ଏହାସହ ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ରହିଥିଲା, ସେଠାରୁ ପୁଣି ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏଏସଓ ଚୟନ ପ୍ରକ୍ରିୟାରେ ଓପିଏସସି ପକ୍ଷରୁ ତ୍ରୁଟି ହୋଇନଥିବା କହିଛନ୍ତି ଓଡ଼ିଶା ହାଇକୋର୍ଟର ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ। ସେମାନେ ଶୁକ୍ରବାର ଶୁଣାଣିବେଳେ ପୂର୍ବରୁ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟକୁ ଖାରଜ କରିଛନ୍ତି। ଏହାପୂର୍ବରୁ ଜଣିକିଆ ଖଣ୍ଡପୀଠ ଏଏସଓ ମେରିଟ୍ ଲିଷ୍ଟକୁ ଖାରଜ କରି ନୂଆ ମେରିଟ୍ ଲିଷ୍ଟ ବାହାର କରିବାକୁ ନିର୍ଦେଶ ଦେଇଥିଲେ।

ଓଡ଼ିଶା ସଚିବାଳୟରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ।

ଏହାପରେ ୨୦୨୨ ନଭେମ୍ବର ମାସରେ ଓପିଏସସି ପକ୍ଷରୁ ଏଏସଓ ନିଯୁକ୍ତି ପରୀକ୍ଷାର ମେରିଟ୍ ଲିଷ୍ଟ ବାହାରିଥିଲା। ଏଥିରେ ୧,୧୦୪ଜଣ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଟେଷ୍ଟ ପାଇଁ ଚୟନ କରାଯାଇଥିଲା। 

ତେବେ ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ଅନୁସାରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ ହୋଇଥିବାରୁ ବିବାଦ ଦେଖା ଦେଇଥିଲା। ଏହି ମେରିଟ୍ ଲିଷ୍ଟ ଖାରଜ କରି ମୋଟ ନମ୍ବର ଆଧାରରେ ନୂଆ ମେରିଟ୍ ଲିଷ୍ଟ ବାହାର କରିବାକୁ ଅନେକ ପରୀକ୍ଷାର୍ଥୀ ହାଇକୋର୍ଟରେ ଆବେଦନ କରିଥିଲେ।

ଏହି ଆବେଦନର ଶୁଣାଣି କରି ହାଇକୋର୍ଟ ଗତ ମେ’ ୧୯ ତାରିଖରେ ଓପିଏସସି ପକ୍ଷରୁ ପ୍ରକାଶିତ ମେରିଟ୍ ଲିଷ୍ଟ ଖାରଜ କରିଥିଲେ। ଏହାସହ ପରୀକ୍ଷାର ମୋଟ ନମ୍ବର ଆଧାରରେ ନୂଆ ମେରିଟ୍ ଲିଷ୍ଟ ବାହାର କରିବାକୁ ନିର୍ଦେଶ ଦେଇଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ଏଏସଓ ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ଦର୍ଶାଇଥିଲେ।

ତେବେ ଏହି ରାୟ ହାଇକୋର୍ଟର ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠରେ ଆସିଥିବାରୁ ମେରିଟ୍ ଲିଷ୍ଟରେ ଚୟନ ହୋଇଥିବା କିଛି ପରୀକ୍ଷାର୍ଥୀ ପୁଣି ରିଭ୍ୟୁ ପିଟିସନ ଦାଖଲ କରିଥିଲେ।

ରିଭ୍ୟୁ ପିଟିସନର ଶୁଣାଣିବେଳେ ହାଇକୋର୍ଟ ଓପିଏସସି ପରୀକ୍ଷା ପରିଚାଳନାର ଗାଇଡଲାଇନକୁ ତର୍ଜମା କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପୁରୁଣା ମେରିଟ୍ ଲିଷ୍ଟକୁ କାଏମ ରଖିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

Tags: #ASOExam #OdishaHighcourt #Examination #Employment #OPSC

Comment