ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାନୁଆରି ୨ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ଏବଂ ପରେ ଫେବ୍ରୁଆରି ୧୬ରୁ ଥିଓରି ପରୀକ୍ଷା। ଏହାପୂର୍ବରୁ ଡିସେମ୍ବର ୩୦ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବାକୁ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜକୁ ନିର୍ଦେଶ ଦିଆଯାଇଛି। ଏହାର ଖିଲାପ କଲେ ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ କୁହାଯାଇଛି।   

ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ସବୁଠାରୁ ଅଧିକ ଗୁରୁତ୍ଵ ଦିଆଯାଇଛି। ପରୀକ୍ଷା କେନ୍ଦ୍ରର ସମସ୍ତ ହଲ୍‌, ପ୍ରାକ୍ଟିକାଲ ରୁମ୍, ଅଫିସ୍‌ ରୁମ୍‌, ସିଲ୍‌ ପ୍ରଶ୍ନପତ୍ର ରହିଥିବା ସ୍ଥାନ ଆଦିରେ ସିସିଟିଭି ଲଗାଇବାକୁ ନିର୍ଦେଶ ରହିଛି।

ପରୀକ୍ଷା ହଲ୍‌ ଓ ପରୀକ୍ଷା ପରିଚାଳନା ହବରେ ଲାଗିଥିବା ସିସିଟିଭି କ୍ୟାମେରା ୨୪ ଘଣ୍ଟା ଚାଲୁ ରହିବା ନିହାତି ଆବଶ୍ୟକ। ଯଦି ବିଦ୍ୟୁତ୍‌ ବିଭ୍ରାଟ ଦେଖାଦିଏ, ତେବେ ଶୀଘ୍ର ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଅନ୍ୟପଟେ ସିସିଟିଭିଗୁଡ଼ିକର ରିମୋର୍ଟ ଭିଜୁଆଲାଇଜିଂ ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ଇଣ୍ଟରନେଟ୍‌ ସଂଯୋଗ କରିବାକୁ କୁହାଯାଇଛି। ଯାହାଦ୍ଵାରା ସିଏଚଏସଇ ପକ୍ଷରୁ ସବୁ କେନ୍ଦ୍ର ଉପରେ ନଜର ରଖାଯାଇପାରିବ।

Tags: #PlusTwoExam #CCTVSurveillance #ExamCenters #Examination #CHSE #SMEOdisha

Comment