ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବଡ଼ଦିନ ଅବସରରେ ପୁରୀରେ ଅନେକ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଛି। ନୂଆବର୍ଷକୁ ଅଳ୍ପଦିନ ବାକିଥିବା ବେଳେ ଶ୍ରୀମନ୍ଦିର, ସମୁଦ୍ରକୂଳ, କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଥିପାଇଁ ପୁରୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୁରୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଧାର୍ମିକ ଅନୁଷ୍ଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ୨୫ ଜଣ ଅଫିସର ଓ ୫୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଶ୍ରୀମନ୍ଦିରରେ ଲୋକଙ୍କ ଭିଡ଼କୁ ନଜରରେ ରଖି ଏହା ଆଖପାଖ ଅଞ୍ଚଳରେ ଅଧିକାଂଶ ପୋଲିସଙ୍କୁ ନିୟୋଜିତ କରାଯାଇଛି।

ସେହିପରି ପୁରୀ ବେଳାଭୂମିରେ ଦୁଇ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୩୦ ଜଣ ଗୃହରକ୍ଷୀ ନିୟୋଜିତ ରହିଛନ୍ତି। ସେହିପରି ପୁରୀରେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜଣେ ଡିଏସ୍‌ପିଙ୍କ ନେତୃତ୍ଵରେ ଦୁଇ ଜଣ ଇନ୍ସପେକ୍ଟର, ୪ ପ୍ଲାଟୁନ ପୋଲିସ ଫୋର୍ସ ଓ ଅନେକ ଗୃହରକ୍ଷୀଙ୍କୁ ନି‌ୟୋଜିତ କରାଯାଇଛି।

ଅନ୍ୟପଟେ ସୋମବାର ସକାଳ ୫ଟା ୪୨ମିନିଟରେ ଶ୍ରୀମନ୍ଦିରର ଦ୍ଵାର ଫିଟା ନୀତି ହୋଇଥିଲା। ଏହାପରେ ହଜାର ହଜାର ଭକ୍ତ ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମନ୍ଦିର ଭିତରେ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଦର୍ଶନ ଲାଗି ଭକ୍ତଙ୍କ ସହାୟତା କରିଥିଲେ।

ସେହିପରି ବଡ଼ଦିନରେ ପୁରୀର ୧୩ଟି ଚର୍ଚ୍ଚରେ ଯୁଶୁଖ୍ରୀଷ୍ଟଙ୍କ ଜନ୍ମୋତ୍ସବ ପାଳନ ହେଉଥିବାରୁ ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁରୀ ସହରାଞ୍ଚଳର ତିନୋଟି ପ୍ରବେଶ ପଥ ମଙ୍ଗଳାଘାଟ ଛକ, ବାଟଗାଁ ଛକ ଓ ଗ୍ରୀଡ୍‌ ଷ୍ଟେସନ ଛକରେ ପୋଲିସ ଚେକ୍ ପଏଣ୍ଟ ମଧ୍ୟ କରାଯାଇଛି।

Tags: # Christmasday #Tourists #Puri #SriMandir #Odisha

Comment